୨୦୨୨ ଅଗଷ୍ଟ ୧୧ରେ ଭାରତର ୧୪ତମ ଉପରାଷ୍ଟ୍ରପତି ହୋଇଥିବା ଜଗଦୀପ ଧନଖଡ଼ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହା ପଛରେ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଛନ୍ତି । ଜଗଦୀପ ଧନଖଡ଼ ଜଣେ ପ୍ରଖ୍ୟାତ ଓକିଲ ଏବଂ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ । ଜଗଦୀପ ଧନଖଡ ବିରୋଧୀ ଦଳର ମାର୍ଗାରେଟ ଆଲଭାଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ ।ପ୍ରଶ୍ନ ହେଉଛି, ସେହି ରୋଗଗୁଡ଼ିକ କ’ଣ ଥିଲା ଯାହା ଯୋଗୁ ତାଙ୍କୁ ଏତେ ବଡ଼ ନିଷ୍ପତ୍ତି ନେବାକୁ ପଡିଲା?ଜଗଦୀପ ଧନଖରଙ୍କୁ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ୯ ମାର୍ଚ୍ଚ ୨୦୨୫ରେ ଦିଲ୍ଲୀର AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ କ୍ରିଟିକାଲ କେୟାର ୟୁନିଟ (CCU) ରେ ରଖାଯାଇଥିଲା ଏବଂ ବରିଷ୍ଠ ହୃଦରୋଗ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଇଥିଲା। ସେତେବେଳେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଥିଲା ଏବଂ ତାଙ୍କୁ ୧୨ ମାର୍ଚ୍ଚରେ ଡିସଚାର୍ଜ କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହିଁ, କାରଣ ଏହା ପରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଚାଲିଥିଲା।ସୂତ୍ରରୁ ପ୍ରକାଶ ଯେ, ଧନଖରଙ୍କର ଏକ ଗମ୍ଭୀର ହୃଦରୋଗ ସମସ୍ୟା ରହିଛି, ଯାହାର ଚିକିତ୍ସା ଦୀର୍ଘ ସମୟ ଧରି ଚାଲିଛି। କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ବର୍ଷ ଆରମ୍ଭରେ ତାଙ୍କୁ ନୈନିତାଲରେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ତଥାପି, ତାଙ୍କ ଅସୁସ୍ଥତା ବିଷୟରେ ସଠିକ ସୂଚନା ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ।
ଅନ୍ୟପଟେ ଚର୍ଚ୍ଚା ହେଉଛି ଯେ ପାର୍ଲାମେଣ୍ଟରୁ ନିଜ ସରକାରୀ ବାସଭବନକୁ ଯିବା ପରେ ରାତିରେ ହଠାତ୍ ନିଜ ‘X’ ହ୍ୟାଣ୍ଡଲରେ ସେ ଉପରାଷ୍ଟ୍ରପତି ପଦରୁ ତତ୍କାଳ ଇସ୍ତଫା ଦେଇଥିବା ଘୋଷଣା କଲେ। ଏଥିସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରକୁ ସୋସିଆଲ ମିଡିଆରେ ଶେୟାର କଲେ। ଅର୍ଥାତ୍ ଧନକର ସୋମବାର ରାତିରେ ହିଁ ଇସ୍ତଫା ଦେବେ ବୋଲି ଦିନବେଳା ତାଙ୍କ ମନରେ ନ ଥିଲା କିମ୍ବା ଏ ସମ୍ପର୍କରେ ସେ ଆଦୌ ଅବଗତ ନ ଥିଲେ। ଘରକୁ ଯିବା ପରେ କୌଣସି ଆଡ଼ୁ ତାଙ୍କ ଉପରେ ପଦ ଛାଡ଼ିବାକୁ ଚାପ ପଡ଼ିଥାଇପାରେ ବୋଲି ଦିଲ୍ଲୀ ମହଲରେ କୌତୂହଳର ସହ ଚିନ୍ତା କରାଯାଉଛି। ଏହା ପୂର୍ବରୁ ଭାଜପା ଲାଲକୃଷ୍ଣ ଆଡ୍ଭାନୀ ଓ ମୁରଲୀ ମନୋହର ଜୋଷୀଙ୍କ ଭଳି ବରିଷ୍ଠ ନେତାଙ୍କୁ ୭୫ ବର୍ଷ ବୟସରେ ଅଣାନୁଷ୍ଠାନିକ ଭାବେ ଅବସର ଦେଇଥିଲା। ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ଏହି ବରିଷ୍ଠ ନେତାମାନଙ୍କୁ ମାର୍ଗଦର୍ଶକ ମଣ୍ଡଳକୁ ହଟାଇ ଦିଆଯାଇଥିଲା। ତେଣୁ ଭାଗବତ ଓ ଶାହାଙ୍କ ମନ୍ତବ୍ୟ ପରେ ୭୪ ବର୍ଷୀୟ ଧନକରଙ୍କୁ ବିଦା କରାଯାଇଥାଇପାରେ ଏବଂ ହଠାତ୍ କୌଣସି ଆଡ଼ୁ ଚାପର ବଶବର୍ତ୍ତୀ ହୋଇ ପଦତ୍ୟାଗ କରିବାକୁ ବାଧ୍ୟ ହୋଇଥାଇପାରନ୍ତି ବୋଲି ରାଜନୈତିକ ବିଶ୍ଳେଷକମାନେ ଅନୁମାନ କଲେଣି।