କେନ୍ଦ୍ରୀୟ ବିଦ୍ୟାଳୟ, ନୟାଗଡ଼ରେ ଆଇନ ସଚେତନତା

ନୟାଗଡ଼,(ଓଡ଼ିଶା ଦର୍ପଣ):ଏକ ସୁସ୍ଥ ସମାଜରେ ଜନସାଧାରଣ ସେମାନଙ୍କ ମୌଳିକ ଅଧିକାର, କର୍ତବ୍ୟ ଏବଂ ସୁରକ୍ଷା ପାଇଁ ସଚେତନ ରହିବା ଆବଶ୍ୟକ । ବିଶେଷ କରି ଛାତ୍ର ସମାଜ ପାଇଁ ଏହା ଅପରିହାର୍ଯ୍ୟ । ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ, ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, କେନ୍ଦ୍ରୀୟ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି । ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ସଚେତନତାର ଆଭିମୁଖ୍ୟ ଏବଂ ଆବଶ୍ୟକତା ବୁଝାଇଥିଲେ । ପ୍ରାଧିକରଣର ସଚିବ ତଥା ବରିଷ୍ଠବର୍ଗ  ବିଚାରପତି  ଅଞ୍ଜଳି ମଛଖଣ୍ଡ ପୋସ୍କୋ ଏବଂ କର୍ମକ୍ଷେତ୍ରରେ ମହିଳା ମାନଙ୍କ ସୁରକ୍ଷା ପାଇଁ ଏକ କମିଟି ଗଠନ ଉପରେ ଗୁରୁତ୍ବାରୋପ କରିବା ସହିତ ଛାତ୍ରଛାତ୍ରୀ ମାନେ କିପରି ଶୃଙ୍ଖଳା ଓ ସଂଯମତା ରକ୍ଷା କରି ନିଜର ଲକ୍ଷ୍ୟ ହାସଲ କରିପାରିବେ, ସେଥିପାଇଁ ପ୍ରେରଣା ପ୍ରଦାନ କରିଥିଲେ । ଶିକ୍ଷା  ଅଧିକାର ଆଇନ ଓ ଛାତ୍ର ସମାଜର ଅଧିକାର ଓ ସୁରକ୍ଷା ଉପରେ  ଦୃଷ୍ଟାନ୍ତ ମୂଳକ ଭାବେ ବର୍ଣ୍ଣନା କରିଥିଲେ ।

ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ ବିଭିନ୍ନତାରେ ଭାରତର ଏକତା ଏବଂ ମହାନତା ସହିତ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ବ୍ୟାଖ୍ୟା କରିଥିଲେ ।  ବରିଷ୍ଠ ଆଇନଜୀବୀ  ରମେଶ ଚନ୍ଦ୍ର ମହାରଣା ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟଧାରା ଓ ଉପଯୋଗୀତା ଉପରେ ଆଲୋକପାତ କରିବା ସହିତ ଯାହାର କେହି ନାହାନ୍ତି ତା ସହିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରହିଛି ବୋଲି ଦର୍ଶାଇଥିଲେ । ବିଦ୍ୟାଳୟର ଅଧକ୍ଷ ପ୍ରେମଚାନ୍ଦ  ଅନୁଶୀଳନ ଏବଂ ଅନୁଶାସନରେ ବିଚାରବିଭାଗ ଏବଂ ଆଇନ ସେବାର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ, ପ୍ରାଧିକରଣ କର୍ମଚାରୀ  ପ୍ରଶାନ୍ତ କୁମାର ସାହୁ ଓ  ରାଜେଶ କୁମାର ବାରିକ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଉପାଧ୍ୟକ୍ଷ ନବ କିଶୋର ସେଠୀ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଅଧିକ ପଢନ୍ତୁ