କ୍ରିକେଟର ପୃଥ୍ବୀଙ୍କ ଉପରେ ୧୦୦ଟଙ୍କାର ଜରିମାନା ଲଗାଇଲେ କୋର୍ଟ

ଭାରତୀୟ ଟିମରୁ ଗତ କିଛିଦିନ ହେଲାଣି ବାଦ୍ ପଡିଥିବା ଖେଳାଳି ପୃଥ୍ଵୀ ଶ’ ଖୁବ ଏବେ ଚର୍ଚ୍ଚାରେ ରହିଛନ୍ତି । ମୁମ୍ବାଇର ସେସନ କୋର୍ଟ ଟିମ୍ ଇଣ୍ଡିଆର ଯୁବ ଖେଳାଳି ପୃଥ୍ଵୀ ଶଙ୍କ ଉପରେ ୧୦୦ ଟଙ୍କା ଜରିମାନା ଲଗାଇଛନ୍ତି । କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସପନା ଗିଲଙ୍କ ଯାଚିକାର ଜବାବ ଦାଖଲ ନ କରିବା ଯୋଗୁଁ ଲାଗିଛି । ପୂର୍ବରୁ କୋର୍ଟ ଖେଳାଳୁଙ୍କୁ ଜବାବ ଦାଖଲ କରିବା ପାଇଁ ଶେଷ ସୁଯୋଗ ଦେଇଥିଲେ, କିନ୍ତୁ ତାଙ୍କ ତରଫରୁ ଜବାବ ନ ଆସିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୫, ୨୦୨୩ରେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳର ଏକ ପବ୍‌ରେ ପୃଥ୍ୱୀ ଶ’ ଏବଂ ସପ୍ନା ଗିଲ୍‌ଙ୍କ ମଧ୍ୟରେ ବିବାଦ ହୋଇଥିଲା। ଗିଲ୍ ଅଭିଯୋଗ କରିଥିଲେ ଯେ, ତାଙ୍କର ଜଣେ ବନ୍ଧୁ ପୃଥ୍ୱୀଙ୍କଠାରୁ ସେଲ୍ଫି ମାଗିଥିଲେ। ହେଲେ ପୃଥ୍ୱୀ ମନା କରି ଫୋନ ଛଡ଼ାଇ ନେଇ ଫିଙ୍ଗି ଦେଇଥିଲେ। ଏହା ପରେ, ଯେତେବେଳେ ସପ୍ନା ଗିଲ୍ ହସ୍ତକ୍ଷେପ କରିବାକୁ ଚେଷ୍ଟା କଲେ, ପୃଥ୍ୱୀ ଏବଂ ତାଙ୍କ ବନ୍ଧୁମାନେ ତାଙ୍କୁ ମାଡ଼ ମାରିଥିଲେ ଏବଂ ଅସଦାଚରଣ କରିଥିଲେ।

ଘଟଣା ପରେ ସପ୍ନା ପୁଲିସରେ ଏକ ଏତଲା ପଞ୍ଜିକରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ମାମଲା ପଞ୍ଜିକୃତ କରିନଥିଲା। ଏହା ପରେ ସେ ଅନ୍ଧେରିର ମାଜିଷ୍ଟ୍ରେଟ୍ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଏପ୍ରିଲ ୨୦୨୪ରେ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କର ଆବେଦନକୁ ସ୍ୱୀକାର କରିଥିଲେ ଏବଂ କହିଥିଲେ ଯେ, ଏଫଆଇଆର ଦାଖଲ କରିବାରେ ବିଳମ୍ବ ହୋଇଥିଲା। କିନ୍ତୁ ଅଭିଯୋଗଗୁଡ଼ିକ ଗମ୍ଭୀର। ତେଣୁ ମାମଲାର ତଦନ୍ତ ଆବଶ୍ୟକ। ଏଭଳି କହି କୋର୍ଟ ସାନ୍ତାକ୍ରୁଜ୍ ପୁଲିସକୁ ସିଆରପିସି ଧାରା ୨୦୨ ଅନୁଯାୟୀ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଅଧିକ ପଢନ୍ତୁ

Odisha Darpan Digital