ରାଜ୍ୟ କ୍ୟାବିନେଟର ୧୬ ତମ ବୈଠକରେ ମିଳିଛି ୧୦ ପ୍ରସ୍ତାବକୁ ମୋହର। ଶୁକ୍ରବାର, ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାକୁ କ୍ୟାବିନେଟ୍ରେ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ବାରା ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ । ୭୦ ବର୍ଷ ବୟସରୁ ଅଧିକ ଲୋକଙ୍କ ଲାଗି ‘ଆୟୁଷ୍ମାନ ବାୟୋ ବନ୍ଧନ’କୁ ମଧ୍ୟ ମଞ୍ଜୁରୀ ମିଳିଛି ବୋଲି ଶ୍ରୀ ମାଝୀ କହିଛନ୍ତି ।ଦେଶର ୨୯ ହଜାର ମେଡିକାଲରେ ମିଳିବ ସୁବିଧା । ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ମିଳୁଥିଲା ସୁବିଧା । ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନାରେ ବୟସ୍କଙ୍କୁ ଚିକିତ୍ସା ସୁବିଧା ମିଳିବ । ୭୦ ବର୍ଷ ବା ତା’ଠୁ ଅଧିକ ବୟସର ବ୍ୟକ୍ତିଙ୍କୁ ଚିକିତ୍ସା ମିଳିବ ।ସେହିଭଳି ଖଣି କାର୍ଯ୍ୟ ଯୋଗୁ ଖଣି ଅଞ୍ଚଳରେ କ୍ଷତିଗ୍ରସ୍ତ ପରିବାରକୁ ଆଶ୍ୱସ୍ତି ଦେବା ପାଇଁ ହୋଇଥିବା ଡିଏମ୍ଫ ପାଣ୍ଠିରେ ସଂଶୋଧନ କରାଯାଇଥିବା କୁହାଯାଇଛି। ଏହା ଦ୍ଵାରା ଖଣି ଅଞ୍ଚଳରେ ପ୍ରଭାବିତ ପରିବାର ବର୍ଗ ବହୁ ମାତ୍ରାରେ ଉପକୃତ ହେବେ। ସେହିଭଳି କ୍ୟାବିନେଟ ବୈଠକରେ ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ, ୨୦୨୦ ଆରମ୍ଭ ହେବା ତାରିଖ ପୂର୍ବରୁ, ଥଇଥାନ ସହାୟତା ସମ୍ବନ୍ଧିତ ସମସ୍ତ ବିଚାରାଧୀନ ଆବେଦନ ୧୯୯୦ରେ ପ୍ରଚଳିତ ନିୟମ ଅନୁଯାୟୀ ବିଚାର କରାଯିବ । ଏହା ଦ୍ୱାରା ୨୦୨୦ ମସିହାର ନିୟମ ଲାଗୁହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଲାଗୁହେବ ଏବଂ ଥଇଥାନ ସହାୟତା ଯୋଜନାରେ ୧୯୯୦ ନିୟମ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ ।
‘ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫’ର ପ୍ରସ୍ତାବ, ଜଳ ସମ୍ପଦ ବିଭାଗ ଦ୍ଵାରା ଆଗତ ଏକକାଳୀନ ସମାଧାନ ଯୋଜନାର ଅବଧିକୁ ୩୧ ମେ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି ନିଷ୍ପତ୍ତି ନିଆଯାଇଛି। ‘‘ବିକଶିତ ଗାଁ ବିକଶିତ ଓଡ଼ିଶା’’ କାର୍ଯ୍ୟକ୍ରମ ପରିସରକୁ ବ୍ୟାପକ କରିବା, ଓଡ଼ିଶା ପ୍ରିଭେନସନ ଅଫ୍ ଲ୍ୟାଣ୍ଡ୍ ଏନକ୍ରୋଚମେଣ୍ଟ ଆକ୍ଟ ୧୯୭୨ରେ ପରିବର୍ତ୍ତନ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି ।