ଏବେ ଚାଲିଛି ବାହାଘର ସିଜିନ୍। ଆଉ ଏହି ବାହାଘରରେ କାହାକୁ ଫାଇଦା ହେଉ କି ନ ହେଉ ଲୁଟେରା ମାନଙ୍କୁ ବେଶ ଫାଇଦା ହେଉଛି। ତେବେ କ୍ୟାମେରା ମ୍ୟାନ ହୋଇ ବରପକ୍ଷରୁ ଆସିଲେ । ଆଉ ବରଯାତ୍ରୀ ପହଞ୍ଚିବା ପରେ ଭିଡ଼ର ସୁଯୋଗ ଦେଖି କନିଆର ଦାଦାଙ୍କ ବାଇକ ଲୁଟିନେଲେ । ଯାହାର ଲାଇଭ ଫୁଟେଜ ସିସିଟିଭିରେ କଏଦ ହୋଇଛି । ଏଭଳି ଘଟଣା ଉଦଳା ଥାନା ବୈରାଟପୁର ଗାଁରେ ଘଟିଛି । ଗାଁର ସୁଶୀଲ ମିଶ୍ରଙ୍କ ଝିଅ ବାହାଘର ହେଉଥିଲା। ତେବେ ଗତକାଲି ରାତିରେ ରେମୁଣା ଅଞ୍ଚଳରୁ ବରପକ୍ଷ ଆସିବା ସହିତ ତାଙ୍କ କ୍ୟାମେରା ମ୍ୟାନ ମଧ୍ୟ ଆସିଥିଲେ ।
ବରପକ୍ଷ ପହଞ୍ଚିବା ପରେ କନିଆର ଦାଦା ସ୍ୱରୂପ ମହାପାତ୍ର ବରପକ୍ଷଙ୍କ ପାଇଁ ଜଳଖିଆ ନେଇ ଯିବାକୁ ବାହାରିବା ସମୟରେ ତାଙ୍କ ବାଇକ ପାଇ ନଥିଲେ। ବହୁ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ବାଇକ ନ ପାଇବାରୁ ଶେଷରେ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ତେବେ ସିସିଟିଭି ଆଧାରରେ ବାହାଘର ସରିବା ପରେ କ୍ୟାମେରାମ୍ୟାନ ଭାବେ ଆସିଥିବା ଅନ୍ୟ ଯୁବକଙ୍କୁ ଅଟକ ରଖିବା ସହିତ ଏନେଇ ଉଦଳା ପୋଲିସକୁ ଖବର ଦେଇଥିଲେ ପରିବାର। ପୋଲିସ ଏବେ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।