ଖଣ୍ଡଗିରିରୁ ଏମ୍ସ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର

ଏମ୍ସକୁ ହେବ ଆମ୍ବୁଲାନ୍ସ କରିଡର । ଖଣ୍ଡଗିରିରୁ ଏମ୍ସ ହେବ ସ୍ୱତନ୍ତ୍ର ଆମ୍ବୁଲାନ୍ସ କରିଡର । ପୂର୍ତ୍ତବିଭାଗ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଖଣ୍ଡଗିରିରୁ କଳିଙ୍ଗନଗର ଯାଏ ୩ ଲେନ ସର୍ଭିସ ରୋଡ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ମଧ୍ୟରୁ ଗୋଟିଏ ଲେନ ଆମ୍ବୁଲାନ୍ସ ପାଇଁ ରିଜର୍ଭ ରହିବ ।ଫଳରେ ଖଣ୍ଡଗିରି ଛକ ଅତିକ୍ରମ କରିବା ପରେ ଜଣେ ସିଧାସଳଖ ଏମ୍ସରେ ପହଞ୍ଚିପାରିବ । ବୁଧବାର ଏନେଇ ପୂର୍ତ୍ତ ଓ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ଏକାମ୍ର(ଭୁବନେଶ୍ୱର) ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଏମ୍‌ସର ଚାରିପାଖର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ବିଶେଷକରି ଏହି ଜାତୀୟସ୍ତରୀୟ ସ୍ୱାସ୍ଥ୍ୟାନୁଷ୍ଠାନ ଭିତରେ ଥିବା ସ୍ୱେରେଜ୍ ବ୍ୟବସ୍ଥା, ଭିତର ଓ ଚାରିପାଖର ରାସ୍ତାର ପୁନଃନିର୍ମାଣ, ଆଲୋକୀକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଏମ୍‌ସକୁ ଆସୁଥିବା ରୋଗୀ ଓ ସାଧାରଣ ଲୋକଙ୍କ ସୁବ୍ୟବସ୍ଥିତ ଗମନାଗମନ ପାଇଁ ଟ୍ରାଫିକ୍ ବ୍ୟବସ୍ଥା ସଜାଡିବା ଓ ଅପରାଧ ରୋକିବା ପାଇଁ ସିସିଟିଭି ଲଗାଇବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଅଧିକ ପଢନ୍ତୁ