ଧୁମଧାମରେ ଚାଲିଛି ଖଣ୍ଡଗିରି ମେଳା | କିନ୍ତୁ ଚଳିତ ବର୍ଷ ଯେଉଁମାନେ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି ବୋଲି ନିୟମ କରିଥିଲେ, ସେମାନେ ଏବେ ଚୁପ୍ ବସିଛନ୍ତି । ଖଣ୍ଡଗିରି ମେଳାରେ ଲାଗିଛି ବାବାଙ୍କ ଦରବାର ଆଉ ଭୁବନେଶ୍ୱର ସହ କଟକ, ପୁରୀ, ନୟାଗଡ଼, ଯାଜପୁର, ଗଞ୍ଜାମ, ଏପରିକି ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରୁ ଆସୁଛନ୍ତି ଭକ୍ତ । କିଏ ଆଗେ ଭେଟିବ, କିଏ ପ୍ରଥମେ ପରାମର୍ଶ ନେବ ଏଥିପାଇଁ ସକାଳୁ ଆସି ଜଗୁଛନ୍ତି । ସନ୍ଧ୍ୟା ଓ ରାତିକୁ ଆସୁଛନ୍ତି ଭିଆଇପି । ଭିଆଇପିମାନେ ଆସି ସାଧୁଙ୍କୁ ଭେଟି ଭାଗ୍ୟ ଭବିଷ୍ୟତ ବୁଝୁଛନ୍ତି । ସାଧୁଙ୍କୁ ମୋଟା ଅଙ୍କର ଟଙ୍କା ବି ଦେଉଛନ୍ତି । ଖଣ୍ଡଗିରି ମାଘମେଳା ଅବସରରେ ଏଭଳି ଦୃଶ୍ୟ ଏବେ ଦେଖିବାକୁ ମିଳୁଛି । ମେଳାରେ ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ିର ସ୍ୱରୂପ ଦେଖିବାକୁ ମିଳୁଛି ।ତେବେ ଚଳିତ ବର୍ଷ ମେଳାକୁ ଜଣେ ନାଗାବାବା ଆସିଛନ୍ତି । ତାଙ୍କ ବିଭୂତି ଖାଇଲେ ନିଃସନ୍ତାନ ଦମ୍ପତି ସନ୍ତାନ ଜନ୍ମ କରିବେ ବୋଲି ଦାବି କରିଛନ୍ତି । ସେହିପରି ଆଉ ଜଣେ ହେଲେ କଦଳୀ ବାବା । ଯିଏ କି ମନ୍ତୁରା କଦଳୀ ବାଣ୍ଟୁଛନ୍ତି । ମନ୍ତୁରା କଦଳୀ ଖାଇଲେ, ସବୁ ମନସ୍କାମନା ପୂରଣ ହେବ ବୋଲି ଦାବି କରୁଛନ୍ତି । ଏଭଳି କିଛି ସାଧୁଙ୍କ ପାଇଁ ପ୍ରକୃତ ସାଧୁ ଲୁଚିଯାଉଥିବା ଅଭିଯୋଗ ହୋଇଛି ।
