ଖଣ୍ଡଗିରି ଯାତ୍ରା: BMC ନେଇଛି କଠୋର ନିଷ୍ପତ୍ତି,ଗାଡ଼ି ପାର୍କିଂ ପାଇଁ ଦର ଧାର୍ଯ୍ୟ

ଜାନୁଆରୀ ୨୫ ତାରିଖ ମାଘ ସପ୍ତମୀରୁ ହେବ ଖଣ୍ଡଗିରି ଯାତ୍ରା ବା ମାଘ ମେଳା । ଏନେଇ ବିଏମସିର ସମୀକ୍ଷା ବୈଠକ ହୋଇସାରିଛି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଯାତ୍ରାକୁ କିଭଳି ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢ଼ଙ୍ଗରେ ଆୟୋଜନ କରାଯିବ, ସେନେଇ କିଛି କଠୋର ପଦକ୍ଷେପ ନିଆଯାଇଛି । ସେଇମଧ୍ୟରୁ ଗୋଟିଏ ନିଷ୍ପତ୍ତି ହେଲା, ଖଣ୍ଡଗିରି ଯାତ୍ରାରେ ଧାର୍ଯ୍ୟ ଦରରୁ ଅଧିକ ପାର୍କିଂ ଫି ଆଦାୟ କଲେ ବିଏମ୍‌ସି ଛାଟ ବାଜିବ । ଖଣ୍ଡଗିରି ମେଳା ପାଇଁ ବିଏମ୍‌ସି ପକ୍ଷରୁ ଏଥର ୫ଟି ସ୍ଥାନରେ ପାର୍କିଂ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ରସୁଲଗଡ଼ ପଟୁ ଆସୁଥିବା ଗାଡ଼ି ଗୁଡ଼ିକ ପ୍ରାଚୀ ହୋଟେଲରୁ ଥାନା ପର୍ଯ୍ୟନ୍ତ ପାର୍କିଂ କରିବେ । ସେହିପରି ଖୋର୍ଦ୍ଧା ତମାଣ୍ଡୋ ପଟୁ ଆସୁଥିବା ଗାଡ଼ି ଏନ୍ଏଚ୍ କିମ୍ବା ଖାରବେଳ ପାର୍କିଂରେ ଗାଡ଼ି ରଖିବେ । ସହର ଭିତରୁ ଆସୁଥିବା ଲୋକେ ଜାଗମରାରେ ଗାଡ଼ି ପାର୍କିଂ କରିବାକୁ ଜାଗା ଚିହ୍ନଟ କରାଯାଇଛି । କିନ୍ତୁ ଏଏସ୍ଆଇ ପାର୍କିଂରେ ଲୋକେ ମାଗଣାରେ ଗାଡ଼ି ରଖିପାରିବେ । ପାର୍କିଂ ପାଇଁ ବିଏମ୍‌ସି ପକ୍ଷରୁ ଦର ଧାର୍ଯ୍ୟ କରାଯାଇଛି । ବାଇକ୍ ଘଣ୍ଟା ପ୍ରତି ୧୦ ଟଙ୍କା ଦେବେ । ଯଦି ଘଣ୍ଟାଏରୁ ଅଧିକ ରହିବ ଦୁଇଗୁଣା ଅର୍ଥାତ ୨୦ ଟଙ୍କା ଦେବାକୁ ପଡ଼ିବ ।ସେହିପରି କାର ପ୍ରଥମ ଘଣ୍ଟା ପାଇଁ ୨୦ ଟଙ୍କା ଏବଂ ଘଣ୍ଟାକ ପରେ ୪୦ ଟଙ୍କା ଦେବାକୁ ପଡ଼ିବ । ଯାତ୍ରା ପେଣ୍ଡାଲ ପାଖରେ ଥିବା ପାର୍କିଂରେ ରାତି ସାରା ଗାଡ଼ି ରଖିଲେ କାର ୫୦ ଟଙ୍କା ଦେବେ । ବିଏମ୍‌ସି ପକ୍ଷରୁ ସବୁ ପାର୍କିଂ ସ୍ଥଳରେ ରେଟ୍ ଚାର୍ଟ ମାରିବା ବାଧ୍ୟତାମୂଳକ କରାଯାଇଛି । ଇଂରାଜୀ ବଦଳରେ ସବୁ ସଂସ୍ଥା ଓଡ଼ିଆରେ ରେଟ୍ ଚାର୍ଟ ଏବଂ ନାମଫଳକ ମାରିବେ । ଏଥିରେ ଖିଲାପ୍ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଅଧିକ ପଢନ୍ତୁ