ଖତ ଖାଇଗଲା ପରିକ୍ରମା ପ୍ରକଳ୍ପ ଅର୍ପଣ ଚାଉଳ। ଅର୍ପଣ ଚାଉଳରେ ଲାଗି ପାରିବନି ଭୋଗ। ଭକ୍ତ ଅର୍ପଣ କରିଥିବା ଚାଉଳ ମହାପ୍ରସାଦ ପ୍ରସ୍ତୁତ ହେବ ବୋଲି ମନେ କରାଯାଉଥିଲା। ଅର୍ପଣ ଚାଉଳ ଭକ୍ତଙ୍କ ଠାରୁ ସଂଗୃହୀତ ହେଲା ସତ। କିନ୍ତୁ ଏହାକୁ କେମିତି ବ୍ୟବହାରଯୋଗ୍ୟ କରାଯିବ, ସେଥିପାଇଁ ବିସ୍ତୃତ ରୋଡମ୍ୟାପ କରାଯାଇ ନଥିଲା। ଏହି କାରଣରୁ ୬ ମାସ ମଧ୍ୟରେ ଅର୍ପଣ ଚାଉଳ ନଷ୍ଟ ହେବାକୁ ବସିଛି। ଅର୍ପଣ ଚାଉଳ ଭୋଗ ପ୍ରସ୍ତୁତ ହେଲା ଭଳି ସ୍ଥିତିରେ ନାହିଁ।ନଷ୍ଟ ଚାଉଳ ଗୁଡ଼ିକୁ ଏନଜିଓ ସଂସ୍ଥାକୁ ଦେବା ପାଇଁ ମହାସୁଆରା ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ଜାନୁଆରି ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭକ୍ତଙ୍କ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ। ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ ହେବା ନେଇ ରାଜ୍ୟବ୍ୟାପି ଚର୍ଚ୍ଚା ହୋଇଥିଲା। ପରିକ୍ରମା ପ୍ରକଳ୍ପରେ ହୁଏତ ସମସ୍ତ ଭକ୍ତ ଯୋଗ ଦେଇପାରିବେ ନାହିଁ ମନେ କରି ତତ୍କାଳୀନ ରାଜ୍ୟ ସରକାର ଅର୍ପଣ ରଥ ମାଧ୍ୟମରେ ଅକ୍ଷତ ଅରୁଆ ଚାଉଳ ଓ ଗୁଆ ଜଗତର ନାଥ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପଠାଇ ପାରିବେ ବୋଲି ମନେ କରିଥିଲେ। କିନ୍ତୁ ବର୍ତମାନ ଏହା ଖତ ହେବାକୁ ବସିଛି |