ବାସ୍ତବକୁ ନେଇ ଜୀଉଁଥିବା ମଣିଷଟିଏ । ଜୀବନରେ କାହାକୁ ହରାଇବା ଯେତିକି କଷ୍ଟକର ..କାହାକୁ ଜିତିବା ଆହୁରି କଷ୍ଟସାଧ୍ୟ .. .ତାଙ୍କର ଉଦାର ମନୋଭାବ ସାଙ୍ଗକୁ ବଳିଷ୍ଠ ବ୍ୟକ୍ତିତ୍ୱ ଯୋଗୁ ଏବେ ବି ଝୁରୁଛି ତାଙ୍କୁ ସାରା ଦେଶ । ଏବେ ବି ସମସ୍ତଙ୍କ ହୃଦୟରେ ସେ ବିରାଜମାନ କରନ୍ତି । ଏବେ ବି ସେ ଲୋକଙ୍କ ପ୍ରେରଣାର ଉତ୍ସ। ସେ ଆଉ କେହିଁ ସେ ହେଉଛନ୍ତି ଭାରତର ମିସାଇଲ୍ ମ୍ୟାନ୍ ଏପିଜେ ଅବଦୁଲ କଲାମ୍ । ତାମିଲନାଡୁର ରାମେଶ୍ୱରମ୍ ଜିଲ୍ଲାର ଧନୁଷକୋଡି ଗାଁରେ କଲାମଙ୍କ ଜନ୍ମ । ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୂରା ନାଁ ହେଉଛି ଅବୁଲ ପକିର ଜୈନାଲୁଦ୍ଦିନ ଅବଦୁଲ କଲାମ । ପରିବାରର ୫ ସନ୍ତାନଙ୍କ ମଧ୍ୟରେ କଲାମ ଥିଲେ ସବୁଠୁ ସାନ । ବାପା ଡଙ୍ଗା ଚଳାଇ ପରିବାର ଚଳାଉଥିଲେ । ତେଣୁ ପରିବାର ଖୁବ କମ ବୟସରୁ କଲାମ ମଧ୍ୟ ଡଙ୍ଗା ଚଳାଇବା ସହ ଖବର କାଗଜ ବିକ୍ରି କରୁଥିଲେ । ହେଲେ ଏସବୁ ପ୍ରତିବନ୍ଧକ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ପଥରୋଧ କରିପାରିନଥିଲା । ସ୍ୱପ୍ନ କେତେ ଯେ ଶକ୍ତିଶାଳୀ ତାହା କଲାମଙ୍କ ଜୀବନୀରୁ ସ୍ପଷ୍ଟ ହୁଏ ।ରାମେଶ୍ୱରମରେ ସ୍କୁଲ ପଢା ଶେଷ ହେବା ପରେ ତିରୁଚିରାପଲିର ସେଣ୍ଟ ଜୋସେଫ କଲେଜରେ ଉଚ୍ଚଶିକ୍ଷା କରିଥିଲେ । ଏହାପରେ ମାଡ୍ରାସର ଇନଷ୍ଟିଚ୍ୟୁଟ ଅଫ ଏରୋନେଟିକାଲ ଇଞ୍ଜିନିୟରିଂରେ ପଢିଥିଲେ । ପରେ ଡିଆରଡିଓରେ ସିନିୟର ସାଇଣ୍ଟଣ୍ଟିଫିକ ଆସିଷ୍ଟାଣ୍ଟ ଭାବେ ୧୯୮୫ରେ ଯୋଗ ଦେଇଥିଲେ । ଏହାପରେ ୧୯୬୯ରେ ଯୋଡି ହୋଇଥିଲେ ମହାକାଶ କେନ୍ଦ୍ର ଇସ୍ରୋ ସହ । ସେବେଠୁ ସେ ରଚି ଚାଲିଲେ ଗୋଟିଏ ପରେ ଗୋଟିଏ ମାଇଲ ଖଣ୍ଟ । ୧୯୯୮ ଐତିହାସିକ ପୋଖରାନ ଆଣବିକ ବୋମା ପରୀକ୍ଷଣର ସେ ଥିଲେ ମୁଖ୍ୟ ପୁରଧା । ତାଙ୍କ ତତ୍ୱବଧାନରେ ନିର୍ମାଣ ହେଲା ଭାରତର ପ୍ରଥମ ମହାକାଶ ଯାନ ଏସଏଲଭି-୩ ସ୍ପେସ ଭେଇକିଲ୍ । ସେ ଦେଶକୁ ଭେଟି ଦେଇଥିଲେ ଅଗ୍ନି, ତ୍ରିଶୁଳ, ପୃଥ୍ୱୀ, ବ୍ରହ୍ମୋସ୍ତ୍ର ଭଳି କ୍ଷେପଣାସ୍ତ୍ର । ଏଥିପାଇଁ ତାଙ୍କୁ କୁହାଯାଏ ଭାରତର ମିସାଇଲ ମ୍ୟାନ ।୨୦୦୨ରୁ ୨୦୦୭ ଯାଏଁ ସେ ଭାରତର ୧୧ ତମ ରାଷ୍ଟ୍ରପତି ହୋଇଥିଲେ । ସବୁଠୁ ବଡ କଥା ହେଲା କ୍ଷମତା କେବେ ବି ତାଙ୍କ ଜୀବନକୁ ପ୍ରଭାବିତ କରିପାରିନଥିଲା । କାର୍ଯ୍ୟକାଳ ଶେଷ ପରେ ରାଷ୍ଟ୍ରପତି ଭବନ ଛାଡିବା ବେଳକୁ ତାଙ୍କ ସାଙ୍ଗରେ ବଡ ଟିଣ ବାକ୍ସ ବ୍ୟତୀତ ଆଉ କିଛିନଥିଲା । ଯାହା ତାଙ୍କ ସରଳ ଜୀବନ ଯାପନର ପରିଚୟ ଦିଏ ।
