ଆସନ୍ତା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଗତକାଲି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯାଇଛି। ବିଏମସିର ନିଷ୍ପତ୍ତି ଅନୁସାରେ, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ କାମ ବନ୍ଦ ରହିବ ।
ଏହି ସମୟରେ ଶ୍ରମିକଙ୍କୁ କାମ କରାଇଲେ ମିଳିବ ଦଣ୍ଡ । ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ସମସ୍ତ ରାଜସ୍ୱ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିଶନରଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବା ନେଇ ଆଶଙ୍କା ଥିବାରୁ ଏପରି ନିର୍ଦ୍ଦେଶ ଜାରି କରିଛି ବିଭାଗ । ଯଦି କୌଣସି କାର୍ଯ୍ୟ ଜରୁରୀ ମନେ ହୁଏ କିମ୍ବା ଅତ୍ୟାବଶ୍ୟକୀୟ ସେବା ସହ ଜଡିତ ତେବେ ସତର୍କମୂଳକ ପଦକ୍ଷେପ ନିଆଯିବ ।ସମସ୍ତ ଡାକ୍ତରଖାନାରେ ସନଷ୍ଟ୍ରୋକରେ ଆକ୍ରାନ୍ତଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ସ୍ୱତନ୍ତ୍ର ରୁମ୍ ଓ ବେଡ୍, ଆବଶ୍ୟକ ମେଡିସିନ, ଓଆରଏସ୍ ଆଦି ମହଜୁଦ୍ ରଖିବା ପାଇଁ ସହରାଞ୍ଚଳ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ପ୍ରମୁଖ କାର୍ଯ୍ୟ ହେଉଛି ଜନ ସଚେତନତା ସୃଷ୍ଟି କରିବା । ସନ୍ ଷ୍ଟ୍ରୋକ୍ ଆକ୍ରାନ୍ତ ଓ ମୃତ୍ୟୁ ମୁଖରୁ ରକ୍ଷା ପାଇବା ପାଇଁ ଜନ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ପ୍ରଚାର ପ୍ରସାର, ପୋଷ୍ଟର, ବ୍ୟାନର ଆଦିର ସହାୟତା ନିଆଯିବାକୁ କୁହାଯାଇଛି । ସ୍ମାର୍ଟ ସିଟି ଡିସପ୍ଲେ ବୋର୍ଡରେ ମଧ୍ୟ ଏ ସଂପର୍କିତ ସଚେତନତା ବାର୍ତ୍ତା ପ୍ରଚାର କରାଯିବ। ପ୍ରଚାର ପତ୍ର ବଣ୍ଟନ କରିବାକୁ କୁହାଯାଇଛି ।