ଖାଇବା ତେଲ ଦର ବଢ଼ିଗଲା ୧୦ରୁ ୧୫ ଟଙ୍କା, ଏବେ ମହଙ୍ଗା ହେବ ଔଷଧ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଲାଗିଲା କିନ୍ତୁ ଘାଣ୍ଟି ସନ୍ତୁଳି ହେଉଛି ସାରା ବିଶ୍ବ। ଗ୍ୟାସ୍ ଓ ପେଟ୍ରୋଲ, ଡିଜେଲର ନିଅଣ୍ଟିଆ ସ୍ଥିତି ଭିତରେ କଷ୍ଟ ବଢ଼ାଇଛି ଖାଇବା ତେଲ। ଗତ କିଛି ଦିନ ଭିତରେ ଖାଇବା ତେଲ ଲିଟର ପିଛା ୧୦ରୁ ୧୫ ଟଙ୍କା ବଢ଼ିଥିଲା। ହଠାତ୍ ବଢିଥିଲା ପାମୋଲିନ୍, ସୂର୍ଯ୍ୟମୁଖୀ, ସୋୟାବିନ୍, ସୋରିଷ ତେଲ। ହୋଟେଲ୍ ହେଉ କିମ୍ବା ଘର, ସବୁଠି ଖାଦ୍ୟର ଦାମ୍ ଆକାଶଛୁଆଁ ହେଲା। ଯୁଦ୍ଧ ଯୋଗୁଁ ସପ୍ଲାଏ ଚେନ୍ ବାଧାପ୍ରାପ୍ତ ଓ ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଖାଇବା ତେଲ ଦର ଉପରମୁହାଁ ହୋଇଛି।ଏବେ ଔଷଧ ଉପରେ ଯୁଦ୍ଧର ପ୍ରଭାବ ପଡିବା ଆରମ୍ଭ କଲାଣି । ଅର୍ଥାତ ଔଷଧର ଦାମ ମଧ୍ୟ ବଢ଼ିବ । ସରକାର ମଧ୍ୟ ଔଷଧର ଦାମ ପ୍ରାୟ ୦.୬୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମତି ଦେଇସାରିଛନ୍ତି । ୨୦୨୫ର ହୋଲସେଲ ପ୍ରାଇସ ଇଣ୍ଡେକ୍ସ (ଡବ୍ଲ୍ୟୁପିଆଇ) ଅନୁସାରେ ଔଷଧର ନୂଆ ଦର ଧାର୍ଯ୍ୟ କରାଯିବ । ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନ୍ପିପିଏ) ପକ୍ଷରୁ ଏହି ଆଦେଶ ଜାରି କରାଯାଇଛି ।ଯୁଦ୍ଧ ମାଡ଼ରେ ଖାଇବା ତେଳ ମହଙ୍ଗା ହୋଇଥିବା ବେଳେ ଅଣ୍ଡା ଶସ୍ତା। ପୂର୍ବ ଅପେକ୍ଷା କମିଛି ଅଣ୍ଡା ଦର। ଅଣ୍ଡା ପିଛା ଦର ୨ରୁ ୩ ଟଙ୍କା ଖସିଛି। ଭାରତରୁ ବାହାର ଦେଶକୁ ଅଣ୍ଡା ରପ୍ତାନୀ ହୋଇଥାଏ। ଯୁଦ୍ଧ ଯୋଗୁଁ ରପ୍ତାନି ବନ୍ଦ ହେବା ଓ ଘରୋଇ ବଜାରରେ ଯୋଗାଣ ବୃଦ୍ଧିଯୋଗୁଁ ଦାମ୍ କମିଛି। ଏଥିସହ ଏଲପିଜି ସଂକଟରେ ଅନେକ ଫାଷ୍ଟଫୁଡ୍ ଓ ଠେଲା ଦୋକାନୀ ବନ୍ଦ ହେଲାଣି। ଏଥିପାଇଁ ବି କମିଛି ଅଣ୍ଡାର ଚାହିଦା।

ଅଧିକ ପଢନ୍ତୁ