ଖାଇବା ତେଲ ଦାମ୍ ନବଢାଇବା ପାଇଁ କେନ୍ଦ୍ରର ଅନୁରୋଧ

ଖାଇବା ତେଲ ଉପରେ ଆମଦାନି ଶୁଳ୍କ ବୃଦ୍ଧି ଘୋଷଣା ହେବା ସଙ୍ଗେ ସଙ୍ଗେ ବଜାରରେ ସେଗୁଡ଼ିକର ଦାମ୍‌ରେ ଲିଟର ପିଛା ୨୦ ଟଙ୍କାର ବୃଦ୍ଧି ହୋଇଥିଲା।ପୂର୍ବରୁ ଆମଦାନି ହୋଇଥିବା ତେଲକୁ ଅଧିକ ଦାମ୍‌ରେ ବିକ୍ରି ନ କରିବାକୁ ସରକାର ତେଲ ସଂଘଗୁଡ଼ିକଙ୍କୁ କହିଛନ୍ତି । ତୁରନ୍ତ ଏ ବିଷୟରେ ସଦସ୍ୟମାନଙ୍କୁ ଅବଗତ କରିବାକୁ ସଂଘଗୁଡ଼ିକୁ କୁହାଯାଇଛି। ସ୍ଥାନୀୟ ତୈଳଜୀବ ଚାଷୀମାନଙ୍କୁ ଉଚିତ୍ ମୂଲ୍ୟ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଖାଇବା ତେଲର ମୂଳ ଆମଦାନି ଶୁଳ୍କ ବୃଦ୍ଧି କରିଛନ୍ତି ଯାହା ଚଳିତ ମାସ ୧୪ରୁ ଲାଗୁ କରାଯାଇଛି। ଅଶୋଧିତ ସୋୟାବିନ ତେଲ, ଅଶୋଧିତ ପାମ୍ ତେଲ ଓ ‌ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ମୂଳ ଆମଦାନି ଶୁଳ୍କକୁ ୦ ପ୍ରତିଶତରୁ ବଢ଼ାଇ ୨୦ ପ୍ରତିଶତ କରାଯାଇଛି।

ସେହିପରି ରିଫାଇନ୍‌ଡ ପାମ୍ ଅଏଲ୍‌, ରିଫାଇନ୍‌ଡ ସନ୍‌ଫ୍ଲାୱାର ଅଏଲ୍‌, ରିଫାଇନ୍‌ଡ ସୋୟାବିନ୍ ଅଏଲ୍‌ର ମୂଳ ଆମଦାନି ଶୁଳ୍କ ୧୨.୫ ପ୍ରତିଶତରୁ ବଢ଼ାଇ ୩୨.୫ ପ୍ରତିଶତ କରାଯାଇଛି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ବିପୁଳ ପରିମାଣରେ ମହଜୁଦ ରହିଛି। ଆମଦାନି ଶୁଳ୍କ କମ୍ ରହିଥିବାରୁ ତାହା ବିପୁଳ ପରିମାଣରେ ଦେଶକୁ ମଗାଯାଉଛି ଯାହା ଦେଶ ଭିତରେ ତୈଳବୀଜ ଚାଷ କରୁଥିବା ଚାଷୀମାନଙ୍କୁ ଉଚିତ୍ ମୂଲ୍ୟ ପ୍ରଦାନରେ ଏକ ପ୍ରତିବନ୍ଧକ ହେବ ବୋଲି ଆଶଙ୍କା କରାଯାଉଥିଲା। ଚାଷୀଙ୍କ ସ୍ବାର୍ଥ ବିଚାରକୁ ନେଇ ଖାଇବା ତେଲ ଉପରେ ଆମଦାନି ଶୁଳ୍କ ବୃଦ୍ଧି କରାଯାଇଛି। ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ମିଳିଲେ ସେମାନେ ଆଗାମୀ ଦିନରେ ଅଧିକ ତୈଳବୀଜ ଚାଷ କରିବାକୁ ଆଗ୍ରହ ଦେଖାଇବେ ବୋଲି ସରକାର ଭାବୁଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital