ମହାନଦୀର ସାତକୋଶିଆ ଗଣ୍ଡରେ ପୁଣି ଖୁସି ଖବର। ଗତ ସପ୍ତାହକ ମଧ୍ୟରେ ବିରଳ ଘଡ଼ିଆଳ ଯୋଡ଼ା ପୁଣି ଥରେ ୩୦ଟି ଛୁଆ ଫୁଟାଇଛନ୍ତି । ମହାନଦୀ ସାତକୋଶିଆ ଗଣ୍ଡ ଘଡ଼ିଆଳ ବଂଶ ବୃଦ୍ଧି ପାଇ ଉତ୍କୃଷ୍ଟ ପ୍ରାକୃତିକ ସ୍ଥାନ ବୋଲି ପ୍ରମାଣିତ କରିଛନ୍ତି ଏହି ଯୋଡା ।ଘଡ଼ିଆଳ ହେଉଛି ଏକ ବିରଳ ପ୍ରଜାତିର କୁମ୍ଭୀର । ସେମାନଙ୍କର ବଞ୍ଚିବା ହାର ବହୁତ କମ ଅର୍ଥାତ ଶତକଡା ୧ ଭାଗ ବୋଲି ଆକଳନ କରାଯାଇଛି । ସେଥିପାଇଁ ଗତ ପ୍ରାୟ ୩ ବର୍ଷ ହେବ ନନ୍ଦନକାନନରେ ଘଡ଼ିଆଳ ପୁନରୁଦ୍ଧାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସେଠାରୁ ବିଭିନ୍ନ ସମୟରେ ଘଡ଼ିଆଳ ଆଣି ମହାନଦୀ ଗଣ୍ଡରେ ଛଡା ଯାଉଛି । ଗତ ୩ ବର୍ଷ ମଧ୍ୟରେ ଏଠାରେ ୨୦ରୁ ଅଧିକ ଘଡ଼ିଆଳ ଛଡ଼ାଯାଇଛି। ପ୍ରାକୃତିକ ପରିବେଶରେ ଏହି ପ୍ରକଳ୍ପ ଜରିଆରେ ଶତକଡା ୮୦ ଭାଗ ସଫଳତା ମିଳି ପାରିଛି ।ଦୀର୍ଘ ୪୦ବର୍ଷ ପରେ ସାତକୋଶିଆ ଗଣ୍ଡରେ ପ୍ରଥମ ଥର ପାଇଁ ୨୦୨୧ରେ ୨୮ଟି ଘଡ଼ିଆଳ ଛୁଆ ପ୍ରାକୃତିକ ପରିବେଶରେ ଜନ୍ମ ହୋଇଥିଲେ।
ସେତେବେକେ ସବୁଆଡେ ଖୁସି ଦେଖା ଦେଇଥିଲା । ଏପରିକି ସେ ସମୟର ମୁଖ୍ୟମନ୍ତ୍ରୀ ମଧ୍ୟ ଟୁଇଟ କରି ନିଜର ଖୁସି ବ୍ୟକ୍ତ କରିଥିଲେ। କାରଣ ଭାରତରେ ଗଣ୍ଡକ ଓ ଚମ୍ବଲ ନଦୀରେ ଘଡ଼ିଆଳ ଦେଖା ଯାଆନ୍ତି। ଓଡ଼ିଶାର ସାତକୋଶିଆ ଗଣ୍ଡରେ ଏହି ବିରଳ ପ୍ରଜାତିର ଘଡ଼ିଆଳ ଦେଖା ଯାଆନ୍ତି।। ୨୦୨୧ରେ ୨୮ଟି, ୨୦୨୨ରେ ୩୨ଟି, ୨୦୨୩ରେ ୩୫ଟି, ୨୦୨୪ରେ ୩୫ଟି ଘଡ଼ିଆଳ ଛୁଆ ଜନ୍ମ ହୋଇଥିଲେ। ଚଳିତ ବର୍ଷ ପୁଣି ଥରେ ୩୦ଟି ଛୁଆ ଜନ୍ମ ହୋଇଛନ୍ତି।୨୦୨୧ ରୁ ୨୦୨୪ ମଧ୍ୟରେ ବିଗତ ୪ ବର୍ଷରେ ଏଠାରେ ୧୩୦ଟି ଘଡ଼ିଆଳ ଛୁଆ ଜନ୍ମ ନେଇଛନ୍ତି। କିନ୍ତୁ ଚଳିତବର୍ଷ ଗଣନାରୁ ଗଣ୍ଡରେ ମାତ୍ର ୧୬ଟି ଘଡ଼ିଆଳ ନଜରକୁ ଆସିଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ସାତକୋଶିଆ ଗଣ୍ଡରେ ସେମାନଙ୍କ ବଂଶ ବୃଦ୍ଧି ହେଉ ନଥିବାରୁ ଚିନ୍ତାର କାରଣ ପାଲଟିଛି । ଏହାର ଏକମାତ୍ର କାରଣ ହେଉଛି ବନ୍ୟା ସମୟରେ ଘଡିଆଳ ଛୁଆ ଭାସିଯାଇ ସମୁଦ୍ରକୁ ଚାଲ ଯାଆନ୍ତି ।