ମାରାତ୍ମକ ସାଜିଲା ଚିପ୍ସ । ଚିପ୍ସ ପ୍ୟାକେଟ୍ ଖେଳଣାରେ ବିସ୍ଫୋରଣ । କୁନି ପିଲାର ଆଖି ନଷ୍ଟ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଧୀନ ଶଗଡ଼ଘାଟ ଗାଁରେ ଘଟିଛି ଏଭଳି ଅଘଟଣ । ରବିବାର ସନ୍ଧ୍ୟାରେ ଲବ ହରପାଳଙ୍କ ଆଠ ବର୍ଷର ପୁଅ ଅଙ୍କେଶ ହରପାଳ ଗାଁର ଏକ ଦୋକାନରୁ ଚିପ୍ସ ପ୍ୟାକେଟ କିଣି ଖାଇଥିଲେ । ସେହି ଜରି ପ୍ୟାକେଟରେ ଥିବା ଖେଳଣାକୁ ନିଆଁରେ ପକାଇଦେବା ମାତ୍ରେ ଜୋରରେ ବିସ୍ଫୋରଣ ଘଟି ଆଖି ଉପରେ ମାଡ଼ ହୋଇଥିଲା । ଗୁରୁତର ଅବସ୍ଥାରେ କୁନି ପିଲାକୁ ନେଇ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଆଖିଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଥିବା ଜଣାପଡ଼ିଛି । ଏବେ ଆହତ କୁନି ପିଲାର ମାଆ ଏବଂ ବାପା ଟିଟିଲାଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସଂପୃକ୍ତ କମ୍ପାନୀ ବିରୋଧରେ ଦୃଢ ପଦକ୍ଷେପ ନେବା ସହ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି ।
ସାଧାରଣତଃ ପିଲାମାନେ ଚିପ୍ସ ଖାଇବାକୁ ବହୁତ ଭଲ ପାଆନ୍ତି ଏବଂ ଅନେକ ସମୟରେ ପ୍ୟାକେଟ୍ ଭିତରେ ଥିବା ଲୋଭନୀୟ ଖେଳନା ପାଇଁ ସେମାନେ ଏହାକୁ କିଣିବାକୁ ଜିଦ୍ କରନ୍ତି । କିନ୍ତୁ ଏହି ଖୁସି କେତେବେଳେ ଯେ ଏକ ବଡ଼ ଦୁର୍ଘଟଣାର ରୂପ ନେଇଯିବ, ତାହା କେହି କଳ୍ପନା କରିନଥିଲେ । ତେବେ ଛୋଟ ପିଲାଙ୍କୁ ଚିପ୍ସ ପ୍ୟାକେଟ୍ ଦେବା ପୂର୍ବରୁ ସେଥିରେ ଖେଳନା ଅଛି କି ନାହିଁ ଯାଞ୍ଚ କରନ୍ତୁ ।
