ରବିବାର ଦିନ ଖେଳ ସମୟରେ ଚାଲିଗଲା ଜଣେ ଖେଳାଳିଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲାରେ ଏକ ଫୁଟବଲ୍ ମ୍ୟାଚ୍ ଖେଳା ଯାଉଥିବା ସମୟରେ । ମୃତକ ଦେବଗଡ଼ ସହର ଭୂୟାଁସାହିର ପ୍ରକାଶ ନାୟକ ।ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଦେବଗଡ଼ ପୌର ପ୍ରଶାସନ ପକ୍ଷରୁ କାଉନସିଲର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଜିଲ୍ଲା ଆଥେଲେଟିକ ଆସୋସିଏସନ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲା । ପଡ଼ିଆରେ ଖେଳୁଥିବା ବେଳେ ପ୍ରକାଶ ନାୟକ ତଳେ ପଡ଼ି ଯାଇଥିଲେ । ତାଙ୍କୁ ତୁରନ୍ତ ଦେବଗଡ଼ ଡାକ୍ତରଖାନା ନିଆ ଯାଇଥିଲା ।
ସେଠାରେ ଡାକ୍ତର ପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପ୍ରକାଶଙ୍କ ମୃତ୍ୟୁ ହୃଦଘାତ ଜନିତ ହୋଇଥାଇପାରେ ବୋଲି ଅନୁମାନ କରୁଛନ୍ତି ଡାକ୍ତର । କିଛି ସମୟ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । କିଛି ଖେଳାଳିଙ୍କ ସମେତ ଅନେକ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ ଯେ ପଡ଼ିଆରେ ଆମ୍ବୁଲାନ୍ସ ସହିତ ଡାକ୍ତରୀ କିମ୍ବା ଡାକ୍ତର ଦଳ ଥିଲେ ନାୟକଙ୍କୁ ବଞ୍ଚାଇ ପାରିଥାଆନ୍ତେ । ସେମାନେ ମୃତ ଫୁଟବଲ୍ ଖେଳାଳିଙ୍କ ପରିବାର ପାଇଁ ପର୍ଯ୍ୟାପ୍ତ କ୍ଷତିପୂରଣ ଦାବି କରିଥିଲେ। ତେବେ ଶବ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ପ୍ରକାଶଙ୍କ ମୃତ୍ୟୁ କେମିତି ଓ କେଉଁ ପରିସ୍ଥିତିରେ ହେଲା ।