ରାୟଗଡ଼ା,୧୯/୦୧ : – ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ସକାଳ ୯ଟା ରେ ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଚଳିତ ଥର ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ମୁଖ୍ୟ ଶାଖା), କର୍ମଚାରୀ, ମନ୍ଦିର ପରିଚାଳନା କମିଟି ଓ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ହୁଣ୍ଡି ରୁ ବାହାରିଥିବା ଟଙ୍କା ଓ ଅଳଙ୍କାର ଗଣତି କରାଯାଇଛି। ସୋମବାର ଦିନ ୯ ଟି ହୁଣ୍ଡିରୁ ୧ କୋଟି, ୫ ଲକ୍ଷ, ୫୨ ହଜାର, ୮୪୫ ଟଙ୍କା ସହିତ ୩୦ ଗ୍ରାମ ସୁନା ଓ ୨ କେଜି ୧୫୦ ଗ୍ରାମ ରୂପା ବାହାରିଥିଲା। ଏଥିସହିତ ଗୋଟିଏ ପୁରୁଣା ୫୦୦ ଟଙ୍କା, ୧୦୦୦ ଟଙ୍କା ଦୁଇଟି ଏବଂ ଗୋଟିଏ ୨୦୦୦ ଟଙ୍କା ବାହାରିଛି। ଏଥି ସହିତ ବିଭିନ୍ନ ଦେଶର ୨୩ଟି ବିଦେଶୀ ନୋଟ ମଧ୍ୟ ବାହାରିଥିଲା। ହୁଣ୍ଡିରୁ ବାହାରିଥିବା ଟଙ୍କା ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କରେ ଗଚ୍ଛିତ ରଖାଯାଇଛି। ସେହିଭଳି ସୁନା ଓ ରୁପା ଜିଲ୍ଲା କୋଷାଗାର ରେ ରଖାଯାଇଛି। ଏଥି ପୂର୍ବରୁ ଗତ ବର୍ଷ ୦୭/୦୭/୨୦୨୫ ତାରିଖ ରେ ମା’ ଙ୍କର ୯ଟି ଦାନ ହୁଣ୍ଡି ଖୋଲାଯାଇଥିଲା। ହୁଣ୍ଡିରୁ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା ଓ ୨ କେ ଜି ୫୦୫ ଗ୍ରାମ ରୂପା ବାହାରିଥିଲା। ଏଥିସହିତ ବିଭିନ୍ନ ପ୍ରକାର ୧୨ଟି ବିଦେଶୀ ନୋଟ ମଧ୍ୟ ବାହାରିଥିଲା। ହୁଣ୍ଡିରୁ ବାହାରିଥିବା ଟଙ୍କା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଗଚ୍ଛିତ ରଖାଯାଇଛି। ସେହିଭଳି ସୁନା ଓ ରୁପା ଜିଲ୍ଲା କୋଷାଗାରରେ ରଖାଯାଇଛି। ସୂଚନା ଥାଉକି, ବର୍ଷକୁ ୩ରୁ ୪ ଥର ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି। ହୁଣ୍ଡି ଖୋଲି ଗଣତି ବେଳେ ପୁଲିସ ଓ ମନ୍ଦିର ସୁରକ୍ଷା କର୍ମୀଙ୍କ ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥାଏ।
