ଘର କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ପରେ ଶେଷରେ ଥାନାରେ ହାଜର ହୋଇଛନ୍ତି ଓଏଏସ୍ ବାବୁ ସାର୍ଥକ ସୌରଭ ମହାପାତ୍ର । ଦୁଇ ଦିନ ତଳେ ଓଏଏସ୍ ବାବୁଙ୍କ ପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ । ଏନେଇ ମହିଳା ଥାନା ମାମଲା ରୁଜୁ କରି ନୋଟିସ୍ ପଠାଇବା ପରେ ଆଜି ଥାନାରେ ହୋଇଛନ୍ତି ଓଏଏସ୍ ବାବୁ ।ଅଭିଯୋଗ ଘଟଣାରେ ତାଙ୍କୁ ପଚରାଉଚରା ଚାଲିଛି । ତାଙ୍କ ନାଁରେ ପତ୍ନୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱହୀନତା, ଇଛାକୃତ ଭାବରେ ପରିତ୍ୟାଗ କରିବା ଓ ମାନସିକ ନିର୍ଯାତନା ଦେବା ଅଭିଯୋଗ କରିଛନ୍ତି । ଅଭିଯୋଗକାରିଣୀ ଅର୍ଚ୍ଚନା ଦାସ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ଶାଶୁ ଓ ନଣନ୍ଦଙ୍କ ନାଁରେ ମଧ୍ୟ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା । ଗୋଟି ଗୋଟି କରି ସ୍ବାମୀଙ୍କ ବାବଦରେ ପୁଲିସକୁ ତଥ୍ୟ ଦେଇଛନ୍ତି ଅର୍ଚ୍ଚନା । ସୁଖ ଶାନ୍ତିର ପରିବାର କାହିଁକି ଛାରଖାର ହୋଇଗଲା, ସ୍ବାମୀ-ସ୍ତ୍ରୀ କାହିଁକି ଅଲଗା ହୋଇଗଲେ ଆଉ ଅର୍ଚ୍ଚନା ଦେଇଥିବା ଅଭିଯୋଗର ତଥ୍ୟ ପ୍ରମାଣ କ’ଣ ରହିଛି, ସେନେଇ ପଚାରି ବୁଝିଛି ପୁଲିସ । ତେବେ ତଥ୍ୟ ପ୍ରମାଣ ଏକାଠି କରିବା ସହ ଓଏଏସ୍ ଅଫିସରଙ୍କୁ ଥାନାକୁ ଡାକିବାର ପ୍ରକ୍ରିୟା ଆରମ୍ଭ କରାଯାଇଛି ।
