ମହାପ୍ରଭୁ ଜଗନ୍ନାଥଙ୍କ ହୁଣ୍ଡିରୁ କେତେ ଟଙ୍କା ଆଦାୟ ହୋଇଛି ସେ ନେଇ ବିଧାନସଭାରେ ଆସିଲା ବିସ୍ତୁତ ତଥ୍ୟ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗତ ତିନି ବର୍ଷରେ ଶହେ କୋଟିରୁ ଅଧିକ ଟଙ୍କା ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ପାଖକୁ ଆସିଛି । ୨୦୨୧ ରୁ ୨୦୨୪ ମଧ୍ୟରେ ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ମନ୍ଦିରକୁ ଆସିଛି ୧ ଶହ ୧୩ କୋଟି ୨ ଲକ୍ଷ ୫୫ ହଜାର ୮୮୯ ଟଙ୍କା ।
୨୦୨୧-୨୨ ରେ ଜଗନ୍ନାଥଙ୍କ ହୁଣ୍ଡିରୁ ୮ କୋଟି ୨୩ ଲକ୍ଷ ୧୩ ହଜାର ୧୨୭ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୧୫ କୋଟି ୪୬ ଲକ୍ଷ ୧୭ ହଜାର ୧୫୨ ଓ ୨୦୨୩-୨୪ ରେ ୧୬ କୋଟି ୯୨ ଲକ୍ଷ ୩୬ ହଜାର ୯୭୪ ଟଙ୍କା ମିଳିଛି ।ସେହିପରି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଜଗନ୍ନାଥ ମନ୍ଦିରକୁ ୨୦୨୧-୨୨ ରେ ୬ କୋଟି ୮୩ ଲକ୍ଷ ୩୧ ହଜାର ୯୬୧ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୩୦ କୋଟି ୭୨ ଲକ୍ଷ ୨୭ ହଜାର ୨୧୬ ଟଙ୍କା ଓ ୨୦୨୩-୨୪ ରେ ୨୨ କୋଟି ୨୪ ଲକ୍ଷ ୩୯ ହଜାର ୯୧୮ ଟଙ୍କା ମିଳିଛି । ଅନ୍ୟାନ୍ୟ ସୂତ୍ରରୁ ଜଗନ୍ନାଥ ମନ୍ଦିର କୁ ୨୦୨୧-୨୨ ରେ ୨ କୋଟି ୨୫ ଲକ୍ଷ ୩୧ ହଜାର ୪୯୭ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୪ କୋଟି ୬୨ ଲକ୍ଷ ୩୪୩ ଟଙ୍କା ଓ ୨୦୨୩-୨୪ ରେ ୫ କୋଟି ୭୩ ଲକ୍ଷ ୫୭ ହଜାର ୭୦୧ ଟଙ୍କା ମିଳିଛି ।