ଗନ୍ଧମାର୍ଦ୍ଦନ ହେବ ନକ୍ସଲ ମୁକ୍ତ । ବରଗଡ ଜିଲ୍ଲାର ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲ ହେବ ମାଓ ମୁକ୍ତ । ଏବେ ଓଡ଼ିଶା ପୋଲିସର ଟାର୍ଗେଟରେ ଗନ୍ଧମାର୍ଦ୍ଦନ ପାହାଡରେ ଲୁଚି ରହିଥିବା ମାଓବାଦୀ ।ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଗନ୍ଧମାର୍ଦ୍ଦନକୁ ମାଓବାଦୀମୁକ୍ତ କରାଯିବା ପାଇଁ ସମସ୍ତ ରଣନୀତି ପ୍ରସ୍ତୁତ ହୋଇ ସାରିଛି ବୋଲି ବୁଧବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜି) ସଞ୍ଜୀବ ପଣ୍ଡା କହିଛନ୍ତି।
ଖବରଦାତା ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି, ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ମାଓବାଦୀ ସମସ୍ୟାର ସମାଧାନ ପାଇଁ ଗୁରୁ ଦାୟିତ୍ୱ ରହିଛି। ଏହାକୁ ଗୁରୁତ୍ୱର ସହିତ ନେଇ ପୋଲିସ୍ କାମ କରୁଛି। ଇତିମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ବିଶେଷ ସଫଳତା ମିଳିଛି। ବର୍ତ୍ତମାନ ମାଓବାଦୀଙ୍କ କାର୍ଯ୍ୟକଳାପ କେବଳ ୨ ଅଞ୍ଚଳ(ଏରିଆ)କୁ ନେଇ ସୀମିତ ରହିଛି। ଗୋଟିଏ ହେଉଛି କନ୍ଧମାଳ, ରାୟଗଡ଼ା ଓ କଳାହାଣ୍ଡିର ତ୍ରିକୋଣୀୟ ସଂଯୋଗ ସ୍ଥଳ ଏବଂ ଦ୍ୱିତୀୟଟି ହେଉଛି ବରଗଡ଼ ଜିଲାର ଗନ୍ଧମାର୍ଦ୍ଦନ ପାହାଡ଼। ସେଠାରେ କିଛି ସଂଖ୍ୟକ ମାଓବାଦୀ ରହିଛନ୍ତି। ବିଗତ ଦିନରେ ଅନେକ ମାଓବଦୀ ଆତ୍ମସମର୍ପଣ କରିଛନ୍ତି। ଗତ ଡିସେମ୍ବର ମାସରେ ମାଓବାଦୀ ସଂଗଠନର ରାଜ୍ୟ ମୁଖ୍ୟ ତଥା କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ମଧ୍ୟରେ ଗୁଳି ବିନିମୟରେ ମୃତ୍ୟୁ ହୋଇଛି। ଏହାପରେ ରାଜ୍ୟର ଅନେକ ଜିଲାରେ ସଫଳତା ମିଳିଛି। ଇତିମଧ୍ୟରେ କୋରାପୁଟ, ମାଲକାନଗିରି, ନବରଗଙ୍ଗପୁର, ନୂଆପଡ଼ା, ବୌଦ୍ଧ ଜିଲାରେ ମାଓବାଦୀ ଆଉ ନାହାନ୍ତି କହିଲେ ଚଳେ।
