ଗର୍ଭବତୀ ମହିଳାଙ୍କୁ ଭାରରେ ବୋହିଲେ ୧୦ କିମି

ମାଲକାନଗିରି ଜିଲାର ଏକ ଦୁର୍ଗମ ଅଞ୍ଚଳରେ ଗ୍ରାମାଞ୍ଚଳର ଦୁର୍ବଳ ଭିତ୍ତିଭୂମିର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।ଗାଁ ରାସ୍ତାର ଅବସ୍ଥା ଶୋଚନୀୟ ଯୋଗୁଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଅଧା ବାଟରେ ଅଟକି ରହିବା ପରେ ଗର୍ଭବତୀଙ୍କୁ ଭାରରେ ବୋହିଛନ୍ତି ଗ୍ରାମବାସୀ। ୧୦ କିମି ବୋହି ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଘଟଣାଟି ରବିବାର ଅପରାହ୍ନରେ ଖାଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ପଞ୍ଚାୟତର ବୋନ୍ଦାଘାଟି ଅଞ୍ଚଳରେ ଘଟିଛି। ଭୋଜଗୁଡ଼ା ଗାଁର ବାସିନ୍ଦା ସୁନାଇ ଭୋଜଙ୍କୁ ପ୍ରସବ ଯନ୍ତ୍ରଣା ଅନୁଭବ ହେବା ପରେ ତାଙ୍କ ପରିବାର ତୁରନ୍ତ ସ୍ଥାନୀୟ ଆଶା କର୍ମୀଙ୍କୁ ଖବର ଦେଇଥିଲେ। ଖାଇରପୁଟ ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରୁ ଏକ ଆମ୍ବୁଲାନ୍ସ ଭୋଜଗୁଡ଼ା ଗାଁ ଆଡ଼କୁ ପଠାଯାଇଥିଲା, ଯାହା ବ୍ଲକ ମୁଖ୍ୟାଳୟଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଅବସ୍ଥିତ।

କିନ୍ତୁ, ତୁସାଇ ପଡ଼ା ଓ ବିଶୋଇ ଗୁଡ଼ା ମଧ୍ୟରେ ଥିବା ୧୦ କିଲୋମିଟର ରାସ୍ତାର ଦୁର୍ଦ୍ଦଶାଗ୍ରସ୍ତ ଅବସ୍ଥା ଯୋଗୁଁ ଆମ୍ବୁଲାନ୍ସ ତୁସାଇ ପଡ଼ା ପର୍ଯ୍ୟନ୍ତ ହିଁ ପହଞ୍ଚି ପାରିଥିଲା। ଏହି ରାସ୍ତା କାଦୁଅ ଓ ଗାତରେ ପରିପୂର୍ଣ୍ଣ ଥିବାରୁ ଗାଡ଼ି ଆଗକୁ ଯାଇପାରି ନଥିଲା।

ଏହି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଅସାଧାରଣ ସାମୁଦାୟିକ ଉଦ୍ୟମ ପ୍ରଦର୍ଶନ କରିଥିଲେ। ସୁନାଇଙ୍କୁ ଏକ ଅସ୍ଥାୟୀ ଷ୍ଟ୍ରେଚରରେ ରଖି ଗ୍ରାମବାସୀମାନେ ୧୦ କିଲୋମିଟର ଦୁର୍ଗମ ରାସ୍ତା ଦେଇ କାନ୍ଧରେ ବୋହି ତୁସାଇ ପଡ଼ାକୁ ନେଇଥିଲେ।

ଅଧିକ ପଢନ୍ତୁ

Odisha Darpan Digital