ଆଗକୁ ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ । ଗାଡ଼ି ଚାଳକ ନିୟମ ଭାଙ୍ଗିଲେ କଟିବ ପଏଣ୍ଟ । ରଦ୍ଦ ହେବ ଲାଇସେନସ । ମହଙ୍ଗା ହେବ ବୀମା । ସଡ଼କ ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସରକାର ‘ପେନାଲ୍ଟି ପଏଣ୍ଟ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଏହି ନିୟମ ଲାଗୁ ହେବ । ଓଭର ସ୍ପିଡିଂ, ବେପରୁଆ ଗାଡ଼ି ଚାଳନା ବା ହେଲମେଟ୍ ନପିନ୍ଧିବା ପାଇଁ ଡ୍ରାଇଭରଙ୍କ ଲାଇସେନ୍ସରୁ ପଏଣ୍ଟ କଟିବ । ଯଦି ଏହି ପଏଣ୍ଟ ନିର୍ଦ୍ଦିଷ୍ଟ ସୀମା ପାର୍ କରିଯାଏ, ତେବେ ଲାଇସେନ୍ସ ରଦ୍ଦ ହୋଇପାରେ କିମ୍ବା ଆପଣଙ୍କୁ ପୁଣିଥରେ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିପାରେ ।ସେହିପରି ଗାଡ଼ିର ବୀମା ଉପରେ ମଧ୍ୟ ଏହାର ବଡ଼ ପ୍ରଭାବ ପଡ଼ିବ । ଯଦି ଅଧିକ ନିୟମ ଭାଙ୍ଗନ୍ତି ଏବଂ ପେନାଲ୍ଟି ପଏଣ୍ଟ ଅଧିକ ରୁହେ, ତେବେ ବୀମା କମ୍ପାନୀଗୁଡ଼ିକ ଆପଣଙ୍କୁ ଜଣେ ‘ବେପରୁଆ ଚାଳକ’ ଭାବେ ଗଣନା କରିବେ । ଫଳରେ ଗାଡ଼ି ବୀମା ନବୀକରଣ ସମୟରେ ଅଧିକ ପ୍ରିମିୟମଦେବାକୁ ପଡ଼ିବ ।ସୁରକ୍ଷିତ ଡ୍ରାଇଭିଂ, ଡିଜିଟାଲ୍ ଟ୍ରାକିଂ ଓ ଦୁର୍ଘଟଣା ହ୍ରାସ କରିବା ପାଇଁ ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର।
