ଗୁଜରାଟ ଓ ଉତ୍ତର ପ୍ରଦେଶ ମଡେଲ ଭଳି ହେବ ଓମଫେଡ ପ୍ଲାଣ୍ଟ୍

ବଢିବ ଦୁଗ୍ଧ ଚାଷୀଙ୍କ ଆୟ। ଗୁଜରାଟ ଓ ଉତ୍ତର ପ୍ରଦେଶ ମଡେଲ ଭଳି ହେବ ଓମଫେଡ ପ୍ଲାଣ୍ଟ। କାମଧେନୁ ଯୋଜନା ଅଧୀନରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଓ ଗୋପାଳନର ବିକାଶ ପାଇଁ ରାଜ୍ୟ ସରକାର କରିଛନ୍ତି ବଡ଼ ପ୍ରୟାସ । କଟକ ଅରିଲୋ ଗୋବିନ୍ଦପୁର ସ୍ଥିତ ଓମଫେଡ ପ୍ଲାଣ୍ଟରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଗାମୀ ଦିନରେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ନେଇ କାମଧେନୁ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଅଧିକ ଅମଳକ୍ଷମ ପ୍ରଜାତିର ୧୦ ହଜାର ଗାଈ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦିଆଯାଇ ରାଜ୍ୟର ଗୋ ଅର୍ଥନୀତିକୁ ସମୃଦ୍ଧ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ ଠାରେ ନ୍ୟାସନାଲ ଡେରୀ ଡେଭଲପମେଣ୍ଟ ବୋର୍ଡ (ଏନ୍‌.ଡି.ଡି.ବି) ଏବଂ ଓମ୍‌ଫେଡ ମଧ୍ୟରେ ଅନୁଷ୍ଠିତ ଚୁକ୍ତିନାମା ଅବସରରେ କହିଛନ୍ତି।ଦୁଗ୍ଧ ପରିବହନ ପାଇଁ ୭ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟରେ ୨୨ ଟି ଯାନର ଶୁଭାରମ୍ଭ ହୋଇଛି। ଏହି ଯାନ ଦ୍ବାରା ଦୁଗ୍ଧ ଚାଷୀଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରି ସିଧାସଳଖ ଓମ୍ଫେଡ ପ୍ଲାଣ୍ଟକୁ ଅଣାଯିବ। ସେହିପରି ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ଟି ଗୁଣ୍ଡଦୁଗ୍ଧ ପ୍ୟାକିଙ୍ଗ ମେସିନର ଶୁଭାରମ୍ଭ କରିଛନ୍ତି ସିଏମ। ଓମଫେଡ ଡ଼ାଏରୀ ପ୍ଲାଣ୍ଟରେ କର୍ମଚାରୀଙ୍କ ରହଣି ପାଇଁ ୧୨ କୋଟି ଟଙ୍କା ବ୍ୟୟରେ ୬୨ଟି କ୍ୱାର୍ଟରର ମଧ୍ୟ ଶୁଭାରମ୍ଭ କରାଯାଇଛି।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ସମସ୍ତ ସୁବିଧା ଦ୍ୱାରା ରାଜ୍ୟର ଚାଷୀମାନଙ୍କ ଠାରୁ ଯଥେଷ୍ଟ ଅଧିକ ପରିମାଣର ଦୁଗ୍ଧ ସଂଗ୍ରହ କରାଯାଇପାରିବ। ଏବେ ରାଜ୍ୟର ଦୁଗ୍ଧ ଉତ୍ପାଦନ ୭୨ ଲକ୍ଷ ଲିଟର ରହିଛି। କିନ୍ତୁ ୨୦୩୬ ସୁଦ୍ଧା ଏହି ପରିମାଣ ୧୬୫ ଲକ୍ଷ ଲିଟର ଏବଂ ୨୦୪୭ ସୁଦ୍ଧା ଏହାକୁ ୨୭୪ ଲକ୍ଷ ଲିଟରରେ ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ ।

ସେ ଆହୁରି କହିଥିଲେ ଦୀର୍ଘ ୪୫ ବର୍ଷ ଧରି ଦୁଗ୍ଧ ଉତ୍ପାଦନ, ସଂଗ୍ରହ ଏବଂ ବିକ୍ରୟ ସହିତ ରାଜ୍ୟର ଦୁଗ୍ଧଚାଷୀ ମାନଙ୍କ ଆର୍ଥିକ ବିକାଶରେ ଓମ୍‌ଫେଡ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିଆସୁଛି। ଏବେ ଓମ୍‌ଫେଡ୍ ଉତ୍ପାଦ ଗୁଡିକର ବିବିଧକରଣ କରିବା ସହିତ ଗୁଣ୍ଡ ଦୁଗ୍ଧ, ପନିର, ବଟର, ଛେନା ପୋଡ, ଆଇସ୍‌କ୍ରିମ୍, ସୁବାସିତ ଦୁଗ୍ଧ, ମିଠା ଦହି, ପେଡା, ରାବିଡି ଆଦି ଅନେକ ଉତ୍ପାଦ ପ୍ରସ୍ତୁତ କରୁଛି। ଯୁବବର୍ଗ ମଧ୍ୟ ଏହା ମାଧ୍ୟମରେ ଭଲ ରୋଜଗାର କରିପାରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଓ ଅନ୍ୟାନ୍ୟ ନୀତିକାନ୍ତି ପାଇଁ ପ୍ରାୟ ୩୦ ମେଟ୍ରିକ ଟନ ଘିଅ ଯୋଗାଇ ଦେବାକୁ ଓମ୍‌ଫେଡ୍ ଏବଂ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଚୁକ୍ତି ହୋଇଛି।ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ବିଭାଗ ଏବଂ ଜାତୀୟ ଡ଼ାଏରୀ ବିକାଶ ବୋର୍ଡ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। NDDB ବୋର୍ଡ ମାଧ୍ୟମରେ ରାଜ୍ୟର ଗୋପାଳକଙ୍କୁ ଉନ୍ନତ ମାନର ଗାଈ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ। ଦୀର୍ଦବର୍ଷ ପରେ ବଦଳିଛି ଡିଜାଇଛି, ବଦଳିଛି ଓମଫେଡର ଲୋଗୋ ।NDDB ସହିତ ହୋଇଥିବା ଚୁକ୍ତିରେ ପ୍ରତିଷ୍ଠା କରାଯିବ ବାୟୋ ଗ୍ୟାସ ପ୍ଲାଣ୍ଟ । ଏହାଦ୍ବାରା ଗୋପାଳକ ମାନେ ଗୋବରରୁ ଗ୍ୟାସ୍ ଉତ୍ପାଦନ କରି ବ୍ୟବ‌ହାର କରିବା ସହ ବଳକା ଗ୍ୟାସ୍ ବିକ୍ରି କରି ହୋଇପାରିବେ ଲାଭବାନ ।

ଅଧିକ ପଢନ୍ତୁ

Odisha Darpan Digital