ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହୋଇଥିବା ଦଳାଚକଟା ପାଇଁ ୭ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । କାର୍ଯ୍ୟରେ ଅବହେଳା ପାଇଁ ଏହି ପୋଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଗୃହ ବିଭାଗ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛି । ଏବେ ଗୁଣ୍ଡିଚା ମନ୍ଦିରରେ ହୋଇଥିବା ଦଳାଚକଟା ରିପୋର୍ଟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏବଂ ରାଜ୍ୟସଭା ଏମ୍ପି ସୁଲତା ଦେଓ ମିଳିତ ଭାବେ କହିଛନ୍ତି, ଗୁଣ୍ଡିଚା ମନ୍ଦିର ପାଖରେ ଦଲଚକଟା ଯୋଗୁଁ ୩ଟି ମୂଲ୍ୟବାନ ଜୀବନ ପଳେଇଛି । ଉନ୍ନୟନ କମିଶନର ଅନୁ ଗର୍ଗ ଯେଉଁ ରିପୋର୍ଟ ଦେଇଛନ୍ତି ଏହା ସାର୍ବଜନୀନ ହୋଇଛି । ଏଥିରେ କିଛି ପୋଲିସ ଅଧିକାରୀ ଓ ସିସିଟିଭି ଭେଣ୍ଡର୍ସଙ୍କୁ ଦାୟୀ କରାଯାଇଛି । ତାଙ୍କ ବିରୋଧରେ ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ରିପୋର୍ଟରେ କୁହାଯାଇଛି । ତେବେ ଏହି ରିପୋର୍ଟକୁ ନିନ୍ଦା କରିଛି ବିଜେଡି ।ରଥଯାତ୍ରା ପରିଚାଳନା ଦାୟିତ୍ୱରେ ଥିବା ଜିଲ୍ଲାପାଳ, ଏସ୍ପି, ମୁଖ୍ୟ ପ୍ରଶାସକ, ଆଇନ ମନ୍ତ୍ରୀଙ୍କୁ କାହିଁକି ଦାୟୀ କରାଗଲା ନାହିଁ ବୋଲି ବିଜେଡି ପ୍ରଶ୍ନ କରିଛି । ଅନେକ ଲୋକଙ୍କୁ ବଞ୍ଚେଇବା ପାଇଁ ଏହି ରିପୋର୍ଟ କରାହୋଇଛି । ମୁଖ୍ୟମନ୍ତ୍ରୀ, ଉପ,ମୁଖ୍ୟମନ୍ତ୍ରୀ ସମସ୍ତେ ଏଥିପାଇଁ ଦାୟୀ । ପ୍ରକୃତ ଦୋଷୀ, ଦୋଷୀଙ୍କ ରିପୋର୍ଟରେ ଦେଖାନାହିଁ । ପ୍ରଭାତୀ ପରିଡା ଡିସିଏମ୍ ଥିଲେ ସେ କେଉଁଠି ଥିଲେ ସେଦିନ, ସେ ବିବରଣୀ ରିପୋର୍ଟରେ ନାହିଁ । ଏହା ଏକ ରବିସ୍ ରିପୋର୍ଟ ବୋଲି ବିଜେଡି ଅଭିଯୋଗ କରିଛି । ଦୋଷୀଙ୍କୁ ଘଣ୍ଟ ଘୋଡାଇବା ପାଇଁ ଏହି ରିପୋର୍ଟ ଦିଆଯାଇଛି । ଗୋଟେ ପଏଣ୍ଟରୁ ଏଣ୍ଟ୍ରି ଓ ଏକଜିଟ୍ ଥିଲା । ଏହି ନିଷ୍ପତ୍ତି ନେଲା କିଏ ?
