ଗୋପାଳପୁର ଗଣବଳାତ୍କାର ମାମଲାରେ ସୋମବାର ଚାର୍ଜଶିଟ୍ ଦାଖଲ ହୋଇଛି। ଏସ୍ଡିଜେଏମ୍ଙ୍କ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୫୭୪ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରାଯାଇଥିବା ସୂଚନା ମିଳିଛି।ଗତ ଜୁନ ୧୪ ତାରିଖରେ ଗୋପାଳ ପୁର ବେଳାଭୂମି ଅଞ୍ଚଳରେ ଘଟିଥିଲା ଏହି ଗଣ ଦୁଷ୍କର୍ମI ଏଥିରେ ପୋଲିସ ୧୦ଜଣଙ୍କୁ ଗିରଫ କରିଥିଲା I ପରେ ଏହି ମାମଲା ରେଡ ଫ୍ଲାଗ ଭାବେ ନିଆଯାଇ କ୍ରାଇମବ୍ରାଞ୍ଚ୍ କୁ ହସ୍ତାନ୍ତର ହୋଇଥିଲା। ଜେଲରେ ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ ପାଇଁ କ୍ରାଇମବ୍ରାଞ୍ଚ ବ୍ରହ୍ମପୁରସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଏଲ୍ଆର୍ ଆଣ୍ଡ ଏଲ୍ଟିଭି) ଅନ୍ବେଷା ଦାଶଙ୍କ କୋର୍ଟରେ ଆବେଦନ କରିଥିବା ବେଳେ ତାହା ମଞ୍ଜୁର ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶରେ ଟିଆଇ ପରେଡ୍ ପାଇଁ ଜେଲ ପରିସରରେ ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଭିଯୁକ୍ତମାନଙ୍କୁ ହାଜର କରାଯାଇଥିଲା। ପୀଡ଼ିତା ସେଠାରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲେ। ଅନ୍ୟପଟେ ଘଟଣା ପରେ ପୋଲିସ ଜବତ କରିଥିବା ବିଭିନ୍ନ ସାମଗ୍ରୀ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିବା ବେଳେ ଉକ୍ତ ଟିମ ସେଗୁଡିକ ସିଏସ୍ଆଇ ପୋଲିସ ଜରିଆରେ କୋର୍ଟରେ ଦାଖଲ କରିଥିଲା।ସେପଟେ ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମହିଳା କମିଶନ୍। ଗୋପାଳପୁର ଭଳି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ଏଭଳି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିଲା।ଏଥିସହ ଯୁବତୀଙ୍କୁ ନିର୍ଦ୍ଧାରିତ ସମୟରେ ନ୍ୟାୟ ପ୍ରଦାନ କରିବା ସହ ମାଗଣା ଚିକିତ୍ସା ଓ ମାନସିକ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମହିଳା କମିଶନ।
