ଭେନେଜୁଏଲା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଗ୍ରୀନଲ୍ୟାଣ୍ଡ ଦଖଲ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ ଆମେରିକାର ପ୍ରତିରକ୍ଷା ପାଇଁ ଗ୍ରୀନଲ୍ୟାଣ୍ଡ ଆବଶ୍ୟକ।ଟ୍ରମ୍ପ ପ୍ରଶାସନ ଗ୍ରୀନଲ୍ୟାଣ୍ଡବାସୀଙ୍କୁ ସିଧାସଳଖ ନଗଦ ଟଙ୍କା ଦେବାର ଯୋଜନା ବିଚାର କରୁଛି । ଯାହା ଦ୍ୱାରା ସେମାନେ ଡେନମାର୍କରୁ ଅଲଗା ହୋଇ ଆମେରିକା ସହିତ ଅଧିକ ନିକଟତର ହେବାକୁ ରାଜି ହେବେ । କିନ୍ତୁ ଡେନମାର୍କ ଆମେରିକାକୁ କଡା ଚେତାବନୀ ଦେଇଛି । ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକା ଆକ୍ରମଣ କଲେ, ପ୍ରଥମେ ଗୁଳି ଚଳାଇବେ, ପରେ ପ୍ରଶ୍ନ ପଚାରିବେ ବୋଲି କହିଛି ଡେନମାର୍କର ପ୍ରତିରକ୍ଷା ମନ୍ତ୍ରଣାଳୟ । ଇଉରୋପିଓ ଦେଶ ଡେନମାର୍କର ସହର ଗ୍ରୀନଲାଣ୍ଡ ଉପରେ ଆମେରିକାର ଧମକକୁ ନେଇ ଇଉରୋପିଓ ସଂଘ ମଧ୍ୟରେ ବି ବିବାଦ ବଢିବାରେ ଲାଗିଛି। ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ କହିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଗ୍ରୀନଲ୍ୟାଣ୍ଡ ହାସଲ କରିବା ଆମେରିକା ପାଇଁ ଏକ ଜାତୀୟ ସୁରକ୍ଷା ପ୍ରାଥମିକତା, ଏବଂ ଆର୍କଟିକ ଅଞ୍ଚଳରେ ଆମର ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ନିବୃତ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଷ୍ଟ୍ରପତି ଏବଂ ତାଙ୍କ ଦଳ ଏହି ଗୁରୁତ୍ୱପୂର୍ଣ୍ଣ ବୈଦେଶିକ ନୀତି ଲକ୍ଷ୍ୟ ହାସଲ କରିବା ପାଇଁ ବିଭିନ୍ନ ବିକଳ୍ପ ଉପରେ ଆଲୋଚନା କରୁଛନ୍ତି। ନିଶ୍ଚିତ ଭାବରେ, ଆମେରିକୀୟ ସାମରିକ ବାହିନୀ ବ୍ୟବହାର କରିବା ସର୍ବଦା କମାଣ୍ଡର ଇନ୍ ଚିଫ୍ ପାଇଁ ଏକ ବିକଳ୍ପ।” ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ସେ ଆସନ୍ତା ସପ୍ତାହରେ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡ ଅଧିକାରୀଙ୍କ ସହ ସାକ୍ଷାତ କରିବାକୁ ଯୋଜନା କରୁଛନ୍ତି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅନୁଯାୟୀ, ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଟ୍ରମ୍ପ ସାମରିକ ଶକ୍ତି ବ୍ୟବହାର ନୁହେଁ ବରଂ ଦ୍ୱୀପ କିଣିବାକୁ ଚାହାଁନ୍ତି। ଏହି ସମୟରେ ଡେନମାର୍କ ଆମେରିକୀୟ ଅଧିକାରୀଙ୍କ ସହ ବୈଠକକୁ ସ୍ୱାଗତ କରି ଏହାକୁ ଏକ ଆବଶ୍ୟକୀୟ ଆଲୋଚନା ବୋଲି କହିଥିଲେ।
