ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ତାତି ସେତିକି ଅସମ୍ଭାଳ ହେଉଛି । ଦିନବେଳା ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି ଅନୁଭୂତ ହେଉଛି । ଝାରସୁଗୁଡ଼ାରେ ତାତି ୩୯ ଡିଗ୍ରୀ ଛୁଇଁଛି । ଏହା ସବୁଠୁ ତତଲା ସହର ପାଲଟିଛି । ଆଗକୁ ୨ଦିନ ତାତି ଆହୁରି ବଢ଼ିବ। ରାଜ୍ୟକୁ ଗରମ ପଶ୍ଚିମା ପବନ ବହିବ ବୋଲି ବରିଷ୍ଠ କୃଷି ପାଣିପାଗ ବିଶାରଦ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ମାର୍ଚ୍ଚ ୫ ତଥା ବୁଧବାର ଆଜି ମଧ୍ୟ ତାତି ଲାଗିରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର, ପାରଳାଖେମୁଣ୍ଡି, ବୌଦ୍ଧ ସହରର ତାପମାତ୍ରା ୩୮ ଡିଗ୍ରି ଉପରେ ରହିପାରେ । ଭୁବନେଶ୍ବର ବ୍ୟତୀତ ଉପକୂଳର ଅନ୍ୟ ସମସ୍ତ ସହରରେ ପାରଦ ୩୫ ଡିଗ୍ରି ଭିତରେ ରହିବାର ସମ୍ଭାବନା ରହିଛି । ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ମାର୍ଚ୍ଚ ୬ ଓ ୭ ତାରିଖରେ ସର୍ବୋଚ୍ଚ ତାପମାତ୍ରା ସାମାନ୍ୟ କମିବ ଏବଂ ୮ ତାରିଖଠାରୁ ପୁଣିଥରେ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମାର୍ଚ୍ଚ ଆରମ୍ଭରୁ ରେକର୍ଡ କଲାଣି ତାତି । ଏଥର ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ତାତି ସହ ଗ୍ରୀଷ୍ମପ୍ରବାହ ହେବ ବୋଲି ଆଇଏମଡି ଚେତାବନୀ ଦେଇଛି।
