ଆସନ୍ନ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବିଭାଗୀୟ ପ୍ରସ୍ତୁତି ଏବଂ ମାର୍ଗଦର୍ଶିକା (SOP) ର ଏକ ଉଚ୍ଚସ୍ତରୀୟ ସମୀକ୍ଷା ଆଜି ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି ବୈଠକରେ ପୌର ପ୍ରଶାସନର ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିଛନ୍ତି।ବୈଠକ ପ୍ରାରମ୍ଭରେ ପୌର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଆଲୋଚ୍ୟ ସୂଚୀ ଉପସ୍ଥାପନ କରିବା ସହ ଗ୍ରୀଷ୍ମ ପ୍ରବାହ ପାଇଁ ଧାର୍ଯ୍ୟ କରାଯାଇଥିବା ଏସଓପି ଏବଂ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULBs) ଗୁଡ଼ିକ ଦ୍ୱାରା ନିଆଯିବାକୁ ଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ଉପରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ।ଆଭାସୀ ମାଧ୍ୟମରେ ବରିଷ୍ଠ ପଦାଧିକାରୀମାନଙ୍କୁ ସମ୍ବୋଧିତ କରି ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଗ୍ରୀଷ୍ମ ପ୍ରବାହର ବିପଦକୁ ହ୍ରାସ କରିବା ପାଇଁ ସକ୍ରିୟ ଏବଂ ସମନ୍ୱିତ ପଦକ୍ଷେପ ନେବା ଜରୁରୀ। ସହରାଞ୍ଚଳରେ ଅତ୍ୟାବଶ୍ୟକ ନାଗରିକ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ସେ ଗୁରୁତ୍ୱାରୋପ କରିଥିଲେ।ଡଃ ମହାପାତ୍ର ସମସ୍ତ ବିଭାଗୀୟ ମୁଖ୍ୟ ଏବଂ ପୌର ସଂସ୍ଥାଗୁଡ଼ିକୁ ନିର୍ଦ୍ଧାରିତ ଏସଓପି ଅନୁଯାୟୀ କାର୍ଯ୍ୟ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
