୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ, ସମ୍ବଲପୁର, ନୂଆପଡା, ରାୟଗଡ ଓ ବଲାଙ୍ଗିର ଆଦି ୫ଟି ଜିଲ୍ଲାର ୩୬୧ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ।ମୟୂରଭଞ୍ଜ ଜିଲ୍ଲାର ୧୦୫ ହାଇସ୍କୁଲ, ସମ୍ବଲପୁର ଜିଲ୍ଲାର ୬୩ଟି ଉଚ୍ଚ ବିଦ୍ୟାଳୟ, ନୂଆପଡ଼ାର ୩୩, ରାୟଗଡ଼ାର ୬୦ ଓ ବଲାଙ୍ଗୀରର ୧୦୦ଟି ରୂପାନ୍ତରୀତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ସ୍କୁଲ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।ସୂଚନାଯୋଗ୍ୟ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି ।
ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ ।ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଠନର ଗୁରୁମନ୍ତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସ୍କୁଲ ରୂପାନ୍ତର ଓଡ଼ିଶା ଜାତିର ପ୍ରଗତୀରେ ପ୍ରମୁଖ ଭୂମିକା ନେବ । ଜୀବନରେ ସଫଳ ହେବାକୁ ହେଲେ 5T ନୀତି ଗ୍ରହଣ କର । ସବୁ କ୍ଷେତ୍ରରେ ସାଧୁତା ରଖ । ସମୟର ସଦୁପଯୋଗ କଲେ ସବୁ ବେଳେ ଆଗରେ ରହିବ ।’