ଚଳିତବର୍ଷ କୁମ୍ଭୀର ଓ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୩ ଗଣନା ବେଳେ କୁମ୍ଭୀରଙ୍କ ସଂଖ୍ୟା ୧୭୯୩ ଥିବାବେଳେ ଚଳିତବର୍ଷ ଏହା ୧୮୧୧କୁ ଛୁଇଁଛି। ଏଥିମଧ୍ୟରେ କନିକା ବନଖଣ୍ଡରେ ସର୍ବାଧିକ ୧୪୨୨ଟି କୁମ୍ଭୀର ଥିବା ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ପ୍ରମୁଖ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ୍) ଡ. ସୁଶାନ୍ତ କୁମାର ନନ୍ଦ ସୂଚନା ଦେଇଛନ୍ତି।ଗତ ୬ରୁ ୯ ଯାଏ ହୋଇଥିବା କୁମ୍ଭୀର ଓ ଗତ ୧୦ ତାରିଖରେ ଶେଷ ହୋଇଥିବା ପକ୍ଷୀ ଗଣନାରୁ ଏହା ସ୍ପଷ୍ଟ ହୋଇଛି |୬ରୁ ୮ଫୁଟିଆ ବଡ଼କୁମ୍ଭୀରଙ୍କଠାରୁ ଆରମ୍ଭ କରି ୩ରୁ ୬ଫୁଟିଆ ମଧ୍ୟମ ଧରଣର ଓ ୨ରୁ ୩ଫୁଟିଆ ଛୋଟ କୁମ୍ଭୀର ରହିଛନ୍ତି। ୫୮୨ଟି ସଦ୍ୟ ବାହାରିଥିବା କୁମ୍ଭୀର (ହାଚଲିଂ) ଚିହ୍ନଟ ହୋଇଥିବାବେଳେ ୩୮୭ଟି ବର୍ଷିକିଆ, ୩୨୭ଟି କିଶୋର ଅବସ୍ଥାରେ ଥିବା (ଜୁଭେନାଇଲ୍ସ) କୁମ୍ଭୀର, ୧୬୭ଟି ଅଧାପ୍ରୌଢ଼ ଏବଂ ୩୪୮ଟି ପ୍ରୌଢ଼ ଜାତୀୟ କୁମ୍ଭୀର ରହିଛନ୍ତି।
ସର୍ବାଧିକ ୧୪୨୨ଟି କୁମ୍ଭୀର କେବଳ ଭିତରକନିକାର କନିକା ବନାଞ୍ଚଳ ନଦୀ ଅବବାହିକାରେ ରହିଛନ୍ତି। ଚଳିତବର୍ଷ ଟିକରପଡ଼ା ମହାନଦୀ ଗଣ୍ଡରେ ୯୦ ମଗର କୁମ୍ଭୀରଙ୍କୁ ଠାବ କରାଯାଇଛି। ୧୪ଟି ଘଡିଆଳ କୁମ୍ଭୀର ମଧ୍ୟ ଗଣ୍ଡରେ ରହିଥିବା ଜଣାପଡ଼ିଛି। ଏହି ସଂଖ୍ୟା ଗତବର୍ଷ ଅପେକ୍ଷା ଅଧିକ। ଗତବର୍ଷ ମଗରଙ୍କ ସଂଖା ୮୫ ଥିବାବେଳେ ଚଳିତବର୍ଷ ଏହା ୯୦ ହୋଇଛି। ସେହିପରି ଗତବର୍ଷ ୭ଟି ଘଡ଼ିଆଳ ରହିଥିବାବେଳେ ଚଳିତବର୍ଷ ଏମାନଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି।