ବର୍ତ୍ତମାନ ରଥଯାତ୍ରାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ରଥଯାତ୍ରୀରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ କୋଠଭୋଗ। କୋରାପୁଟର ‘ପ୍ରଗତି’ ଅନୁଷ୍ଠାନ ଅମୃତ ଅନ୍ନ ଯୋଗାଣ ସକାଶେ ସହଯୋଗର ହାତ ବଢାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ କୋରାପୁଟରୁ ୫ ପ୍ରକାର ଜୈବିକ ଚାଉଳ ପୁରୀ ଆସିଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କ କୋଠଭୋଗ କେବଳ ଜୈବିକ ଚାଉଳରେ ହେବ। ଜୈବିକ ଚାଉଳରେ ପ୍ରସ୍ତୁତ ଭୋଗର ଦାମ ଅଧିକ ରହିବ ନାହିଁ। ଏପରିକି ପରବର୍ତ୍ତୀ ସମୟରେ ନୀଳାଚଳ ଭୋଗ ପାଇଁ ଏହି ଚାଉଳ ବ୍ୟବହାର ହେବ ବୋଲି ସୂଚନା ମିଳିଛି।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତିରେ ଅମୃତ ଅନ୍ନ ଉପଯୋଗ ନେଇ ପୂର୍ବରୁ ଆଲୋଚନା ହେବା ସହିତ ପରୀକ୍ଷାମୂଳକ ଭାବେ ଲାଗି ମଧ୍ୟ ହୋଇଥିଲା। ବୈଠକରେ ପ୍ରଗତି ଅନୁଷ୍ଠାନର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ।
