ଚଳିତ ବର୍ଷ ବର୍ଷାଋତୁକାଳୀନ ରୋଗ ପ୍ରତିରୋଧ ଓ ନିୟନ୍ତ୍ରଣ ନିମନ୍ତେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ପରିପ୍ରେକ୍ଷୀରେ ଲୋକସେବା ଭବନ ବାସଗୃହଠାରେ ବିଭାଗୀୟ ଶାସନ ସଚିବ ଅଶ୍ୱତୀ. ଏସ୍. ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭାଗ ଅଧିନସ୍ଥ ବିଭିନ୍ନ ନିର୍ଦ୍ଦେଶାଳୟ ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ବିଭିନ୍ନ ପ୍ରସ୍ତୁତିର ସେ ସମୀକ୍ଷା କରି ତୃଣମୂଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ସଘନ କରିବା ସହ ଆଶାକର୍ମୀ ଓ ଉପକେନ୍ଦ୍ର ଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପଖଣ୍ଡ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁଦ ରଖିବା ପାଇଁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ତୃଣମୂଳସ୍ତରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଲୋକ ପ୍ରତିନିଧି, ବହୁମୁଖି ସ୍ଵାସ୍ଥ୍ୟକର୍ମୀ, ଆଶାକର୍ମୀ ଏବଂ ସ୍ଵେଚ୍ଛାସେବୀମାନଙ୍କୁ ସାମିଲ କରି ଜନସାଧାରଣଙ୍କୁ ପ୍ରତିରୋଧକ ଏବଂ ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ସଠିକ୍ ସୂଚନା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।ଦୀର୍ଘସ୍ଥାୟୀ ଔଷଧଯୁକ୍ତ ମଶାରୀର ଶତପ୍ରତିଶତ ବଣ୍ଟନ ଏବଂ ବାସ୍ତବ କ୍ଷେତ୍ରରେ ସେଗୁଡ଼ିକର ବ୍ୟବହାର ଉପରେ ବିଶେଷ ଗୁରୁତ୍ଵ ଦେଇ ଆଶାକର୍ମୀ ଏବଂ ବହୁମୁଖି ସ୍ଵାସ୍ଥ୍ୟକର୍ମୀମାନଙ୍କ ମାଧ୍ୟମରେ ଏହାକୁ ନିଶ୍ଚିନ୍ତ କରାଇବା ନିମନ୍ତେ ଶାସନ ସଚିବ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଔଷଧ ଯୁକ୍ତ ମଶାରୀ ବଣ୍ଟନ, ସଚେତନତା ଅଭିଯାନ, ବିଭିନ୍ନ ସ୍ତରରେ ଆବଶ୍ୟକୀୟ ଔଷଧ ମହଜୁଦ, ମ୍ୟାଲେରିଆ ଡେଙ୍ଗୁ ଆଦି ଜ୍ଵରର ନିରୂପଣ ନିମନ୍ତେ ଟେଷ୍ଟିଂ-କିଟର ଉପଲବ୍ଧି, ସକ୍ରିୟ କ୍ଷେତ୍ର ନିରୀକ୍ଷଣ, ନିୟମିତ ଯାଞ୍ଚ ଓ ନମୁନା ପରୀକ୍ଷଣ ଆଦି ନିଶ୍ଚିନ୍ତ କରାଇବା ନିମନ୍ତେ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହି ବରିଷ୍ଠ ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନ ଓ ପରିଚାଳନା ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ଓ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ପାଇଁ ବୈଠକରେ ଉପସ୍ଥିତ ସ୍ଵତନ୍ତ୍ର ଶାସନ ସଚିବ ତଥା ଜନସ୍ଵାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।