ଆଜି ଚିତାଲାଗି ଅମାବାସ୍ୟା । ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ସମ୍ଭବତଃ ଚିତା ଓ ଚିତଉର ସମ୍ପର୍କ ଥିବାରୁ ଅମାବାସ୍ୟାର ନାମ ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ହୋଇଛି।ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଏବଂ ଏଠାକାର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ। ଧାର୍ମିକ ପର୍ବପର୍ବାଣି ଛଡ଼ା ଅନେକ କୃଷିଭିତ୍ତିକ ପର୍ବପର୍ବାଣି ଯଥା: ନବାନ୍ନ ଭକ୍ଷଣ, ଅକ୍ଷୟ ତୃତୀୟା, ରଜ, ଚିତାଲାଗି ଅମାବାସ୍ୟା, ଶାମ୍ବ ଦଶମୀ ଏବଂ ମାଣବସା ଗୁରୁବାର ଆଦି ଜଗନ୍ନାଥଙ୍କୁ ଆଧାର କରି ପାଳନ କରାଯାଇଥାଏ। ଓଡ଼ିଶାର ଧାନ ମୁଖ୍ୟ ଫସଲ।
ଏଣୁ ଧାନବୁଣାଠାରୁ କାଟିବା ପର୍ଯ୍ୟନ୍ତ ଧାନକୁ କେନ୍ଦ୍ରକରି ବିଭିନ୍ନ ପ୍ରକାର ପର୍ବ ପାଳିତ ହୁଏ। ଧାନ ବୁଣାବେଳେ ଅକ୍ଷୟ ତୃତୀୟା, ବର୍ଷା ପୂର୍ବରୁ ରଜପର୍ବ ଏବଂ ଏହିକ୍ରମରେ ଧାନକଟା ବେଳକୁ ମାଣବସା ତୃତୀୟ କୃଷିଭିତ୍ତିକ ପର୍ବ ଭାବେ ପାଳିତ ହୁଏ। ଆଉ ଶ୍ରାବଣ ମାସ ବେଳକୁ ଧାନ ବିଲରେ ଧାନ ରୋଇବା, ବିଲ ବାଛିବା ପରି ଅନେକ କାମ ହୁଏ। ଏହି ସମୟରେ ପାଳନ ହୁଏ ଚିତଉ ଅମାବାସ୍ୟା। ଚିତଉ ଅମାବାସ୍ୟା ଦିନ କୃଷକମାନେ ଚିତଉ ପିଠା ଓ ପୂଜା ସାମଗ୍ରୀ ନେଇ ଧାନକ୍ଷେତକୁ ପୂଜା କରନ୍ତି ଓ ଭୋଗ ଦିଅନ୍ତି। ଧାନକ୍ଷେତରେ ସ୍ଵୟଂ ମହାଲକ୍ଷ୍ମୀ ବିଜେ କରିଥାନ୍ତି। ତାଙ୍କୁ ପୂଜାକରି ଚିତଉ ପିଠା ନୈବେଦ୍ୟ ଦେଲେ ଅଧିକ ଧାନ ଫସଲ ମିଳେ ବୋଲି ଲୋକେ ବିଶ୍ବାସ କରନ୍ତି। ଅନେକଙ୍କ ମତରେ ସେଦିନ ଚିତଉ ପିଠା ଖାଇଲେ ସାରାବର୍ଷ ସ୍ବାସ୍ଥ୍ୟ ଭଲ ରହେ।ଏହି ଅମାବାସ୍ୟା ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ। ଏହି ପ୍ରଥା ଆଦିବାସୀ ପରମ୍ପରାରୁ ଆସିଥିବା ଅନୁମାନ କରାଯାଏ କାରଣ ସେମାନେ ପ୍ରକୃତି ପୂଜା ଯଥା ବୃକ୍ଷଲତା ଜୀବଜନ୍ତୁ ଆଦିଙ୍କୁ ଦେବତାଙ୍କ ସ୍ଥାନ ଦିଅନ୍ତି। ଚିତଉ ଅମାବାସ୍ୟା ଦିନ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି। ସେଥି ପାଇଁ ଏହି ଅମାବାସ୍ୟା “ଗେଣ୍ଡେଇକଟା ଓଷା” ନାମରେ ମଧ୍ୟ ଜଣା।ଚିତଉ ଅମାବାସ୍ୟା ସମୟରେ ଓଡିଶାରେ ନଦୀନାଳ ଜଳ ପୂର୍ଣ୍ଣ ହୋଇଥାଏ। କୁହାଯାଏ ଯେ ନଈ ଯେତେ ଶୁଖିଲା ପଡ଼ିଥିଲେ ମଧ୍ୟ ଚିତଉକୁ ନିଶ୍ଚୟ ପାଣି ଆସିବ। ଓଡିଶାରେ ବହୁ ପ୍ରଳୟଂକାରୀ ବନ୍ୟା ଏଇ ସମୟରେ ଘଟି ଯାଇଛି।