ଚେସ ଇତିହାସରେ ପ୍ରଥମ: ଓଡ଼ିଶା ପ୍ରିମିୟର ଲିଗ ପାଇଁ ଖେଳାଳି ନିଲାମୀ ସମାରୋହ

ଭୁବନେଶ୍ୱର,(ଓଡ଼ିଶା ଦର୍ପଣ): ଓଡ଼ିଶା ଚେସ ଇତିହାସରେ ପ୍ରଥମ ଥର ପାଇଁ ଆଇପିଏଲ ଢାଞ୍ଚାରେ ଜିଲ୍ଲା ଚେସ ପ୍ରିମିୟର ଲିଗ ପାଇଁ ଖେଳାଳି ନିଲାମୀ ସମାରୋହ ୟୁନିଟ-୯ ସ୍ଥିତ ରୋଟାରୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଅଲ ଓଡ଼ିଶା ଚେସ ଆସୋସିଏସନ ଏବଂ ରୋଟାରୀ କ୍ଳବ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଖେଳାଳି ନିଲାମୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜୀବ ସାହୁ ଯୋଗଦାନ କରି ଘଣ୍ଟି ବଜାଇ ଉଦଘାଟନ କରିଥିଲେ। ରୋଟାରୀ କ୍ଳବ ସଭାପତି ସଞ୍ଜୟ ଚୌଧୁରୀଙ୍କ ପୌରୋହିତ୍ୟ ଏବଂ ସମ୍ପାଦକ ବିଶ୍ୱଜିତ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ସମ୍ମାନୀତ ଅତିଥି ଭାବେ ପ୍ରିମିୟର ଲିଗ ଚେୟାରମ୍ୟାନ ତଥା ଓଡ଼ିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ, ଅଲ ଓଡ଼ିଶା ଚେସ ଆସୋସିଏସନ ସମ୍ପାଦକ ଦେବବ୍ରତ ଭଟ୍ଟ,ଜିଏସଟି ସହକାରୀ କମିଶନର ପ୍ରୀତିରଞ୍ଜନ ନାଥ,ପୂର୍ବତନ ରୋଟାରୀ ସଭାପତି ଏସ.ଏସ. ହରିଚନ୍ଦନ ପ୍ରମୁଖ ଯୋଗଦାନ କରି ଅଲ ଓଡ଼ିଶା ଚେସ ଆସୋସିଏସନର ଏହି ଅଭିନଵ ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ।

ସୂଚନା ଯୋଗ୍ୟ ଯେ ଚଳିତ ମାସ ୧୯ ଏବଂ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ପ୍ରିମିୟର ଲିଗ ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟାରେ ଓଡ଼ିଶାର ୧୧୮ ଜଣ ଲବ୍ଧ ପ୍ରତିଷ୍ଠିତ ଚେସ ଖେଳାଳି ନାମ ପଞ୍ଜିକରଣ କରିଥିଲେ। ଓଡ଼ିଶାର ମୋଟ ୧୨ଟି ଜିଲ୍ଲା ନୟାଗଡ଼, ମୟୁରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ପୁରୀ, ଗଞ୍ଜାମ, ସୋନପୁର, ବରଗଡ଼, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡା ଏବଂ ଢେଙ୍କାନାଳ ଜିଲ୍ଲା ଏହି ଖେଳାଳି ନିଲାମୀ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିବା ବେଳେ ପ୍ରତ୍ୟେକ ଜିଲ୍ଲା ୫ ଜଣ ଲେଖାଏଁ ଖେଳାଳିଙ୍କୁ ନିଲାମୀ ପ୍ରକ୍ରିୟାରେ କ୍ରୟ କରିଥିଲେ। ଏହି ନିଲାମୀ ପ୍ରକ୍ରିୟାକୁ କ୍ରୀଡ଼ାବିତ ଭୁବନ ବେହେରା ପରିଚାଳନା କରିଥିବା ବେଳେ ଓଡ଼ିଶା ଚେସ ଆସୋସିଏସନ ସଦସ୍ୟ ଅଭିଷେକ ଆଚାର୍ଯ୍ୟ, ରିତେଶ ରଥ,ମାନସ ପାଣି, ଧନଞ୍ଜୟ ସାବତ, ତାପସ କୁମାର ମହାନ୍ତି, ସୁରେଶ କୁମାର ସାହୁ,ବିରଞ୍ଚି ନାରାୟଣ ସାହୁ, କେ.କେ ଶର୍ମା, ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।By:Laxmidhar Sahoo

ଅଧିକ ପଢନ୍ତୁ