୨୦୨୭ ଜନଗଣନା ସମ୍ପୂର୍ଣ୍ଣ ଡିଜିଟାଲ ହେବ ଏବଂ ନାଗରିକଙ୍କ ପାଖରେ ଆତ୍ମଗଣନା କରିବାର ବିକଳ୍ପ ରହିବ । ଦେଶରେ ସ୍ବାଧୀନତା ପରେ ଏହା ୧୬ତମ ଜନଗଣନା ହେବ । ପ୍ରଥମ ଥର ପାଇଁ ଜାତିଭିତ୍ତିକ ଜନଗଣନା ସାମିଲ ହେବ । ତେବେ ଭାରତର ଆଗାମୀ ଜନଗଣନା ୨୦୨୭କୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଭାରତର ରେଜିଷ୍ଟରିଅର୍ ଜେନେରାଲଙ୍କ ଦ୍ବାରା ଜାରି ହୋଇଥିବା ଏକ ସର୍କୁଲାର ଅନୁଯାୟୀ, ଯଦି କୌଣସି ଜନଗଣନା ଅଧିକାରୀ ଜାଣିଶୁଣି ଅପମାନଜନିକ ତଥା ଅନୁଚିତ୍ ପ୍ରଶ୍ନ ପଚାରିବେ ତାଙ୍କୁ ଦୋଷୀ ଭାବେ ଗଣାଯିବ । ଏଥିସହ ସେହି ବ୍ୟକ୍ତିଙ୍କୁ ୩ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡିବ ।ବିନା ଅନୁମତିରେ କାହାର କୌଣସି ବ୍ୟକ୍ତିଗତ ସୂଚନା ସେୟାର ନକରିବାକୁ ଅଧିକାରୀମାନଙ୍କୁ ଚେତାବନୀ ଦିଆଯାଇଛି । ଯଦି କୌଣସି ଅଧିକାରୀ କାମରେ ଅବହେଳା, ଅଦେଶକୁ ଉଲ୍ଲଂଘନ କରେ କିମ୍ବା କୌଣସି ଅନ୍ୟ କର୍ମଚାରୀଙ୍କ କାମରେ ବାଧା ଦିଅନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ବ୍ୟତୀତ ଜନଗଣନା ସହିତ ଜଡିତ ଦଲିଲକୁ ଲୁଚାଇବାକୁ କିମ୍ବା ହେରଫେର କାର୍ଯ୍ୟ କରିବାକୁ ଚେଷ୍ଟା କରାଯାଏ ତେବେ ସେଥିପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।
