ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଜନଗଣନା ଏବଂ ଜାତି ଗଣନା ସହିତ ଜଡିତ ସରକାରୀ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି ଗୃହ ମନ୍ତ୍ରାଳୟ। ଜନଗଣନା ଆଇନ ୧୯୪୮ ଅନୁଯାୟୀ ଅଧିସୂଚନା ଜାରି ହୋଇଛି। ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା କାର୍ଯ୍ୟ । ୨୦୨୬ ଅକ୍ଟୋବର ପହିଲାରେ ପ୍ରଥମ ପର୍ଯ୍ୟାୟ ଏବଂ ଓ ୨୦୨୭ ମାର୍ଚ୍ଚ ୧ରେ ଦ୍ୱିତୀୟ ପର୍ଯ୍ୟାୟ ଗଣନା କରାଯିବ ।ଏବେ ଜନଗଣନା ସହିତ ଜଡିତ ବିଭିନ୍ନ ସଂସ୍ଥା ସକ୍ରିୟ ହେବେ। ପ୍ରଥମେ କର୍ମଚାରୀ ନିଯୁକ୍ତି, ତାଲିମ, ଫର୍ମାଟ୍ ପ୍ରସ୍ତୁତିର ଯୋଜନା କରାଯିବ। ଦେଶରେ ପ୍ରଥମ ଥର ପାଇଁ, ଜନଗଣନା ଏବଂ ଜାତି ଗଣନା ଏକକାଳୀନ କରାଯାଉଛି।ପ୍ରତି ୧୦ ବର୍ଷରେ ଭାରତରେ ଜନଗଣନା କରାଯାଏ, ଯାହା ମାଧ୍ୟମରେ ଦେଶର ଜନସଂଖ୍ୟା, ସାମାଜିକ-ଆର୍ଥିକ ଅବସ୍ଥା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଏ।
ଜନଗଣନା ବିଶ୍ୱର ସବୁଠାରୁ ବଡ଼ ପ୍ରଶାସନିକ ଅଭ୍ୟାସ ମଧ୍ୟରୁ ଗୋଟିଏ। ତେବେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ କାଶ୍ମୀର ଓ ଲଦାଖରେ ଅକ୍ଟୋବର ପହିଲା ୨୦୨୬ରେ କରାଯିବ । ବାକି ସବୁ ରାଜ୍ୟରେ ୨୦୨୭ ମାର୍ଚ୍ଚ ୧ରେ ହେବ ଜନଗଣନା । ଯେଉଁ କର୍ମଚାରୀମାନେ ଜନଗଣନା କରିବେ, ସେମାନଙ୍କୁ ପ୍ରଥମେ ତାଲିମ ଦିଆଯିବ । ତା’ପରେ ଫର୍ମାଟ୍ ପ୍ରସ୍ତୁତ ହେବା ପରେ ଫିଲ୍ଡକୁ ଯିବେ । ଦେଶକୁ ଦୀର୍ଘ ବର୍ଷ ଧରି ଜନଗଣନା ପାଇଁ ଅପେକ୍ଷା ଥିଲା । ୨୦୧୧ରେ ଶେଷଥର ପାଇଁ ଜନଗଣନା ହୋଇଥିଲା ।