ଲୌହମାନବୀ ଭାବେ ପରିଚିତ ନନ୍ଦିନୀ ଶତପଥୀ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଥିଲେ। ପଦ୍ମଭୂଷଣ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କର କନ୍ୟା ନନ୍ଦିନୀ ୧୯୩୧ ଜୁନ୍ ୯ରେ ଜନ୍ମଗ୍ରହଣ କରିଥିଲେ।କେବଳ ଓଡ଼ିଶା ନୁହେଁ ଭାରତୀୟ ରାଜନୀତିର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଜନନାୟିକା। ଯାହାଙ୍କ ଅବଦାନରେ ଉଭୟ ରାଜନୀତି ଏବଂ ସାହିତ୍ୟ ବିଭିନ୍ନ ଭାବେ ପରିପୁଷ୍ଟ। ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀଙ୍କର ସ୍ବପ୍ନ ଥିଲା ରାଜ୍ୟର ସାମଗ୍ରିକ ବିକାଶ। ସ୍ବପ୍ନକୁ ବାସ୍ତବ ରୂପ ଦେବା ଲାଗି ସେ ଚଳାଇଥିଲେ ଆପ୍ରାଣ ଉଦ୍ୟମ, ଯାହାର ସୁଫଳ ଆଜି ପାଉଛନ୍ତି ରାଜ୍ୟବାସୀ। ତେବେ ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ପ୍ରବର୍ତ୍ତକ ଭଗବତୀ ପାଣିଗ୍ରାହୀଙ୍କର ସେ ଝିଆରୀ, ତାଙ୍କ ସାମ୍ୟବାଦୀ ଚିନ୍ତାଧାରା ଦ୍ବାରା ନନ୍ଦିନୀ ପ୍ରଭାବିତ ହୋଇଥିଲେ। ଛାତ୍ରୀ ଜୀବନରୁ ସେ ବେଶ୍ ସ୍ବାଭିମାନୀ ଥିବାବେଳେ, ପରବର୍ତ୍ତୀ ସମୟରେ ଜଣେ ସ୍ବନାମଧନ୍ୟ ଲେଖିକା ଭାବେ ପରିଚିତ ହୋଇଥିଲେ।
ରାଜନୀତି ଓ ସାହିତ୍ୟ ପ୍ରତି ନିଜକୁ ଉତ୍ସର୍ଗୀକୃତ କରିଥିବା ନନ୍ଦିନୀ ୧୯୭୨ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ପାଇଁ ‘ଓଡ଼ିଶା ସାହିତ୍ୟ ଏକାଡେମୀ’, ‘କେନ୍ଦ୍ର ସାହିତ୍ୟ ଏକାଡେମୀ’ ଓ ‘ସାହିତ୍ୟ ଭାରତୀ’ ସମ୍ମାନରେ ସେ ସମ୍ମାନିତା ହୋଇଥିଲେ ।କଟକର ଝିଅ ନନ୍ଦିନୀ ଦେବୀ ଦେବେନ୍ଦ୍ର ଶତପଥୀଙ୍କୁ ବିବାହ କରି ଢେଙ୍କାନାଳର ବୋହୂ ହୋଇଥିଲେ। ଦେବେନ୍ଦ୍ର ଢେଙ୍କାନାଳରୁ ଲୋକସଭା ସାଂସଦ ଭାବେ ଦୁଇଥର ନିର୍ବାଚିତ ହୋଇଥିଲେ। ତାଙ୍କର ବଡ଼ ପୁଅ ନଚିକେତା ଶତପଥୀ ଓ ସାନପୁଅ ତଥାଗତ ଶତପଥୀ। ତଥଗତ ଶତପଥୀ ମଧ୍ୟ ଓଡ଼ିଶା ରଜନୀତିର ଜଣେ ଜଣାଶୁଣା ବ୍ୟକ୍ତିତ୍ଵ। ବର୍ତ୍ତମାନ ସେ ରାଜନୀତିରୁ ଦୂରେଇ ସାମ୍ଵାଦିକତାରେ ମନୋନିବେଶ କରୁଛନ୍ତି।