ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ପାକ୍ ସେନାକୁ ମିଳିଲା ଅନୁମତି

ଭାରତୀୟ ସେନା ପହଲଗାମ ଆତଙ୍କବାଦ କାଣ୍ଡର ପ୍ରତିଶୋଧରେ ପାକିସ୍ତାନ ଓ ପିଓକେର ଆତଙ୍କୀ ବେସ୍ ଧ୍ୱଂସସ୍ତ କରିଛି। ଏହାକୁ ନେଇ ପାକିସ୍ତାନରେ ୭ ମେ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତର ଏୟାରଷ୍ଟ୍ରାଇକ୍ କୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୁଧବାର ସନ୍ଧ୍ୟାରେ ଏହି ପ୍ରସଙ୍ଗରେ ସଂସଦକୁ ସମ୍ବୋଧିତ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଭାରତୀୟ ସେନା ଦ୍ବାରା ଅଧ ରାତିରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ରେ ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୈବାର ଏକାଧିକ ଠିକଣା ଓ ମୁଖ୍ୟାଳୟ ଧ୍ବଂସ ହୋଇଯାଇଛି।

ଭାରତୀୟ ସେନାର ସୂଚନା ମୁତାବକ, ଏହି ଆକ୍ରମଣରେ ପ୍ରାୟ ୭୦ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅପରପକ୍ଷେ ପାକିସ୍ତାନ ମଧ୍ୟ ସ୍ବୀକାର କରିଛି ଯେ, ଏହି ଆକ୍ରମଣରେ ଲୋକଙ୍କ ମୃତ୍ୟୁ ଘଟିଛି, କିନ୍ତୁ ସେ ସେମାନଙ୍କୁ ସାଧାରଣ ନାଗରିକ ବୋଲି ପ୍ରଚାର କରୁଛି। ଇତି ମଧ୍ୟରେ ପାକିସ୍ତାନ ସେନା ମୁଖପାତ୍ରଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଧମକ ଦେଇ କହିଛନ୍ତି ଯେ, ଆମେ ସଠିକ୍ ସମୟରେ ଭାରତକୁ ଜବାବ ଦେବୁ। ସେ କହିଛନ୍ତି, ଆମେ ଭାରତକୁ ଜବାବ ଦେବୁ, କିନ୍ତୁ ସମୟ, ସ୍ଥାନ ଓ ଉପାୟ ଆମର ହେବ। ତେବେ ଭାରତର କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ପାକ୍ ସେନା ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ଅନୁମତି ଦାବି କରିଥିଲା। ଏଥିରେ ସରିଫ ତାଙ୍କ ସେନାକୁ ଖୋଲା ଅନୁମତି ଥିବା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ସେନାର ପୁରା ଅଧିକାର ରହିଛି।

ଅଧିକ ପଢନ୍ତୁ

Odisha Darpan Digital