ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି । ଦେଶର ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିବା ପୂର୍ବରୁ, ସେ ତାଙ୍କ ମାଆଙ୍କଠାରୁ ଆଶୀର୍ବାଦ ନେଇଥିଲେ । ସିଜେଆଇ ଭାବରେ ଶପଥ ନେବା ମାତ୍ରେ ସେ ପ୍ରଥମେ ତାଙ୍କ ମାଆ କମଳତାଇ ଗବାଇଙ୍କର ପାଦ ଛୁଇଁଥିବା ଦେଖାଯାଇଥିଲା ।
ଜଷ୍ଟିସ୍ ଗବାଇ ଭାରତର ପ୍ରଥମ ବୌଦ୍ଧ ମୁଖ୍ୟ ବିଚାରପତି । ସ୍ୱାଧୀନତା ପରେ ସେ ଦେଶର ଦଳିତ ସମ୍ପ୍ରଦାୟର ଦ୍ୱିତୀୟ CJI। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବରେ ତାଙ୍କର କାର୍ଯ୍ୟକାଳ ଛଅ ମାସ ହେବ ।। ସେ ୧୯୬୦ ମସିହା ନଭେମ୍ବର ୨୪ରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ । ୧୯୮୫ମସିହାରେ ଓକିଲାତି କରିବା ଆରମ୍ଭ କରି ୨୦୧୯ରେ ସୁପ୍ରିମକୋର୍ଟରେ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ । ମଙ୍ଗଳବାର ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ଆଇନଜୀବୀ ଓ ବିଚାରପତିଙ୍କ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।