ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା,୩ ଦିନ ଯାଏ କୋଲ୍ଡ ୱେଭ

ଖସୁଛି ପାରଦ, ବଢୁଛି ଶୀତ । ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ରହିଛି ୨୩ ସହର । ଅନେକ ସ୍ଥାନରେ ୨ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଥିବା ବେଳେ ଶୀତର ପ୍ରକୋପ ବଢ଼ିବା ସହ ୩ ଦିନ ଯାଏ କୋଲ୍ଡ ୱେଭ ବା ଶୀତ ଲହରୀ ନେଇ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପ୍ରବଳ ଶୀତ ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।୮ ତାରିଖ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ୭ ଜିଲାକୁ ପ୍ରବଳ ଶୀତ ନେଇ ୟେଲୋ ୱାର୍ଣ୍ଣିଂ ରହିଛି । ୯ ତାରିଖ ପର୍ଯ୍ୟନ୍ତ ପଶ୍ଚିମରୁ ଉପକୂଳ ଅଧିକାଂଶ ଜିଲ୍ଲାରେ ଏଭଳି ଶୀତ ଲହରୀ ଲାଗି ରହିବ ।ଶୀତ ଭିତରେ କଲବଲ କରିବ କୁହୁଡ଼ି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାକୁକାରୁ ମଧ୍ୟମ ଧରଣର କୁହୁଡ଼ି ଲାଗି ରହିବ । ଉପକୂଳ ଓଡ଼ିଶାରେ ଅଧିକ ରହିବ କୁହୁଡ଼ିର ପ୍ରଭାବ । ଆସନ୍ତା ୨୪ ଘଣ୍ଟାରେ ନୟାଗଡ଼, ବୌଦ୍ଧ ଓ କୋରାପୁଟକୁ ଘନ କୁହୁଡ଼ି ପାଇଁ ୟେଲୋ ଆଲର୍ଟ ଦିଆଯାଇଛି । ସେପଟେ ଥଣ୍ଡାରେ ଥରହର ହୋଇଛି ରାଜଧାନୀ । ରାଜଧାନୀ ଭବନେଶ୍ବରରେ ୧୦ ଡିଗ୍ରୀ ସେଲସିଅସକୁ ଖସିଛି ପାରଦ । ଆଜି ସୁନ୍ଦରଗଡ଼ କୋଇଡା ଓ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଛି ।

ଅଧିକ ପଢନ୍ତୁ