ଭାରତ ଏକ କୃଷି ପ୍ରଧାନ ଦେଶ, ଯେଉଁଠାରେ କୋଟି କୋଟି ଲୋକଙ୍କ ଜୀବିକା ଏବଂ ଦେଶର ଖାଦ୍ୟ ସୁରକ୍ଷା ସିଧାସଳଖ ଚାଷଜମି ସହିତ ଜଡ଼ିତ । ଏହି କୃଷି ସଂସ୍କୃତି ଏବଂ ଅନ୍ନଦାତାଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ୨୩ ଡିସେମ୍ବରରେ ‘କୃଷକ ଦିବସ’ ପାଳନ କରାଯାଏ । ୨୦୦୧ ମସିହାରେ କୃଷକ ଦିବସର ଶୁଭାରମ୍ଭ କରାଯାଇଥିଲା । ଭାରତ ସରକାର ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜୟନ୍ତୀକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରିବାକୁ ଏହି ନିଷ୍ପତ୍ତି ନେଇଥିଲେ । ଚୌଧୁରୀ ଚରଣ ସିଂଙ୍କୁ ଭାରତୀୟ ରାଜନୀତିରେ କୃଷକମାନଙ୍କର ଏକ ଶକ୍ତିଶାଳୀ ପ୍ରତିନିଧି ଏବଂ ଗ୍ରାମୀଣ ଭାରତର ସ୍ୱର ଭାବରେ ବିବେଚନା କରାଯାଏ । ତାଙ୍କର ସମଗ୍ର ରାଜନୈତିକ ଜୀବନ କୃଷକ, କୃଷି ଶ୍ରମିକ ଏବଂ ଗ୍ରାମୀଣ ଅର୍ଥନୀତିର ଉନ୍ନତି ପାଇଁ ଉତ୍ସର୍ଗୀକୃତ ଥିଲା । ତେବେ ଜାତୀୟ କୃଷକ ଦିବସ ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ କୃଷକ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜ୍ଞାପନ। କହିଛନ୍ତି, କୃଷକ ହେଉଛନ୍ତି ଅନ୍ନଦାତା, ସମୃଦ୍ଧିର ଆଧାର। ଜାତୀୟ କୃଷକ ଦିବସ ଅବସରରେ ସମସ୍ତ କୃଷକ ଭାଇଭଉଣୀମାନଙ୍କୁ ମୋର ସମ୍ମାନ ଓ ଶୁଭେଚ୍ଛା ଜଣାଉଛି ବୋଲି କହିଛନ୍ତି ନବୀନ। ବିଜୁ ଜନତା ଦଳର ସରକାରରେ କୃଷକଙ୍କ ସମୃଦ୍ଧିର ନୂଆ ଧାରା ଆରମ୍ଭ ହୋଇଥିଲା। ଏହାକୁ ସଂକଳ୍ପ ଭାବେ ଗ୍ରହଣ କରି କୃଷକଙ୍କ ହକ୍ ଓ ଅଧିକାର ପାଇଁ ଆମେ ଦୃଢ଼ତାର ସହ ଆଗକୁ ବଢ଼ୁଛୁ ବୋଲି କହିଛନ୍ତି ନବୀନ ।
