ସହରାଞ୍ଚଳ ସ୍ୱଚ୍ଛତା ପ୍ରତି ଓଡ଼ିଶାର ପ୍ରତିବଦ୍ଧତା ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି। ୫୦ ହଜାରରୁ ୨୦ ହଜାର ଜନସଂଖ୍ୟା ବର୍ଗରେ ଆସ୍କା ବିଜ୍ଞାପିତ ଅଂଚଳ ପରିଷଦ ସ୍ଵଛ ସହର ପୁରସ୍କାର ପାଇଥିବା ବେଳେ ଚିକିଟି ବିଜ୍ଞାପିତ ଅଂଚଳ ପରିଷଦ ୨୦ ହଜାରରୁ କମ ଜନସଂଖ୍ୟା ବର୍ଗରେ ସ୍ଵଛ ସହର ପୁରସ୍କାର ପାଇଛି। ଭୁବନେଶ୍ୱର ବିଏମସିକୁ ଓଡ଼ିଶାର ପ୍ରତିଶ୍ରୁତିବଦ୍ଧ ସ୍ୱଚ୍ଛ ସହର ଭାବରେ ସ୍ୱୀକୃତି ଦିଆଯାଇଛି।ସୂଚନାମୁତାବକ ଦେଶର ସ୍ୱଚ୍ଛ ସହରଗୁଡ଼ିକର ତାଲିକା ପ୍ରକାଶ ପାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଏବଂ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁଙ୍କ ଉପସ୍ଥିତିରେ ୨୩ଟି ସୁପର ସ୍ୱଚ୍ଛ ଲିଗ୍ ସହରକୁ ପୁରସ୍କାର ଦିଆଯାଇଛି। ଅହମ୍ମଦାବାଦ, ଭୋପାଳ ଏବଂ ଲକ୍ଷ୍ନୌ ଶ୍ରେଷ୍ଠ ସ୍ୱଚ୍ଛ ସହର ଭାବରେ ଉଭା ହେବା ସହିତ ଭାରତର ନୂତନ ପିଢ଼ିର ସ୍ୱଚ୍ଛ ସହର ରୂପେ ମାନ୍ୟତା ଲାଭ କରିଛନ୍ତି। ମହାକୁମ୍ଭ ପାଇଁ ଏକ ବିଶେଷ ସ୍ୱୀକୃତି ସହିତ ୪୩ଟି ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ପ୍ରମୁଖ ସୁପର ସ୍ୱଚ୍ଛ ଲିଗରେ ଇନ୍ଦୋର, ସୁରଟ, ନଭି ମୁମ୍ବାଇ ସ୍ଥାନ ପାଇଛନ୍ତି।
