ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ
ନୟାଗଡ଼(ଲକ୍ଷ୍ମୀଧର ସାହୁ):ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ୍ କରିଥିଲେ । ସର୍ବପ୍ରଥମେ ଉପସ୍ଥିତ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ଆଗାମୀ ସାଧାରଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ହେଉଥିଲେ ମଧ୍ୟ ଓଡ଼ିଶାରେ ଏହା ୪ଟି ପର୍ଯ୍ୟାୟରେ ଏବଂ ନୟାଗଡ଼ ଜିଲ୍ଲାରେ ୨ଟି ପର୍ଯ୍ୟାୟରେ ଯଥା –ମେ ୨୦ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଏବଂ ମେ ୨୫ରେ ନୟାଗଡ଼, ଖଣ୍ଡପଡ଼ା ଓ ରଣପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଜଣେ ରିଟର୍ଣ୍ଣିଂ ଅଫିସର (ଦଶପଲ୍ଲା – ଉପଜିଲ୍ଲାପାଳ,ନୟାଗଡ଼-ମୁଖ୍ୟ ଉନ୍ନୟନ ଅଧିକାରୀ, ରଣପୁର- ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ଓ ଖଣ୍ଡପଡ଼ା -ଅତିରିକ୍ତ ଜିଲ୍ଲାପାଳ, ସାଧାରଣ)ଙ୍କୁ ଦାୟିତ୍ୱ ଦିଆଯାଇଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ୧,୮୯,୭୩୬ ଭୋଟରଙ୍କ ପାଇଁ ୨୩୪ଟି ବୁଥ୍ , ନୟାଗଡ଼ ନିର୍ବାଚନ ମଣ୍ଡଳୀର ୨,୨୦,୮୪୧ ଭୋଟରଙ୍କ ପାଇଁ ୨୪୬ଟି ବୁଥ୍ , ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ୧,୮୪,୫୨୬ଭୋଟରଙ୍କ ପାଇଁ ୨୧୭ଟି ବୁଥ୍ ଏବଂ ରଣପୁର ନିର୍ବାଚନ ମଣ୍ଡଳୀର ୨,୦୭,୬୯୯ଭୋଟରଙ୍କ ପାଇଁ ୨୪୦ଟି ବୁଥ୍ରେ ଲୋକମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଏଥି ମଧ୍ୟରୁ ମହିଳା ଭୋଟରମାନଙ୍କ ପାଇଁ ୧୨୦ଟି ପିଙ୍କ୍ ବୁଥ୍ , ଭିନ୍ନକ୍ଷମମାନଙ୍କ ପାଇଁ ୧ଗୋଟି ବୁଥ୍ ଏବଂ ଯୁବକମାନଙ୍କ ପାଇଁ ୨ଗୋଟି ସ୍ୱତନ୍ତ୍ର ବୁଥ୍ କରାଯାଇଛି । ଏତଦ୍ ବ୍ୟତୀତ ଚଳିତ ନିର୍ବାଚନରେ ୮୦ବର୍ଷରୁ ଅଧିକ ଏବଂ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ବ୍ୟକ୍ତିମାନେ ଯେଉଁମାନେ ଚାହିଁବେ ସେମାନଙ୍କ ପାଇଁ ହୋମ ଭୋଟିଂର ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ଋତୁରେ ସାଧାରଣ ନିର୍ବାଚନ ହେଉଥିବାରୁ ବୁଥ୍ ଗୁଡ଼ିକରେ ପାନୀୟ ଜଳ ଏବଂ ପ୍ରତିକ୍ଷାଳୟର ବ୍ୟବସ୍ଥା କରାଯିବ ।
ପୋଲିଂ ଅଫିସର ମାନେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ବୁଥ୍ ମାନଙ୍କୁ ଯିବେ । ଜୁନ ୪ ତାରିଖରେ ଭୋଟ ଗଣତି କାର୍ଯ୍ୟ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ । ନିର୍ବାଚନ ସମ୍ବନ୍ଧୀୟ ଅଭିଯୋଗ ନିମନ୍ତେ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହ ଏକ ହେଲପ୍ ଲାଇନ ନମ୍ବର ୧୯୫୦ ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବୁଥରେ ଭୋଟ ଗ୍ରହଣ ଦିନ ଜଣେ ଜଣେ ଯୁବ ସ୍ୱେଚ୍ଛାସେବୀମାନଙ୍କୁ ନିଯୁକ୍ତି ଦିଆଯିବ । ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ମତଦାନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ । ଏଥି ନିମନ୍ତେ ସାମ୍ବାଦିକମାନେ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଆଶା ବ୍ୟକ୍ତ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ୍ କହିଥିଲେ ଯେ, ପୋଲିସ ପ୍ରଶାସନ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ପୋଲିସର ଫ୍ଲାଗ୍ ମାର୍ଚ୍ଚର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ,ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର , ନିର୍ବାଚନ ଅଧିକାରୀ ଅଭିଜିତ୍ ଷଡ଼ଙ୍ଗୀ, ମିଡିଆ ନୋଡାଲ ଅଧିକାରୀ ତାପତି ରାଜ୍, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।