ଜିଲ୍ଲାସ୍ତରୀୟ ବର୍ଣ୍ଣାଳି ପ୍ରଶିକ୍ଷଣ ଶିବିର ଉଦଯାପିତ


ନୟାଗଡ଼,(ଓଡ଼ିଶା ଦର୍ପଣ): ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଜିଲ୍ଲା ସାଧନକର୍ମୀ ମାନଙ୍କର ଗତ ତିନିଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ବର୍ଣ୍ଣାଳି ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ସ୍ଥାନୀୟ ଏନଏସି ହାଇସ୍କୁଲ ଠାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ୮ଟି ବ୍ଲକରୁ ୩୨ ଜଣ ସାଧନକର୍ମୀ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ‘ସାମାଜିକ ଲିଙ୍ଗ ଭିତ୍ତିକ ସମତା ଓ ପାଠ୍ୟକ୍ରମରେ ସଂଯୋଗୀକରଣ’ ବିଷୟ ବସ୍ତୁ ଉପରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ସମଗ୍ରଶିକ୍ଷା ବାଳିକା ଶିକ୍ଷା ସଂଯୋଜିକା ଶ୍ରାବଣୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଅନୁସୂଚିତ ଜାତି ଓ ଜନଜାତି ସଂଯୋଜିକା ଶୁଭସ୍ମିତା ଦାଶ, ଦୁର୍ଗାକାନ୍ତ ଆଚାର୍ଯ୍ୟ, ପ୍ରଭାତୀ ମିଶ୍ର ଏବଂ ପ୍ରକାଶ ସାହୁ ପ୍ରମୁଖ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପ୍ତିମୟୀ ପ୍ରିୟଦର୍ଶିନୀ ଏହି ପ୍ରଶିକ୍ଷଣ ଶିବିର ଉଦଘାଟନ କରିଥିବା ବେଳେ ଏନଏସି ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ,ପର୍ଯ୍ୟବେକ୍ଷକ ସନ୍ତୋଷ ପାତ୍ର ପ୍ରମୁଖ ଯୋଗଦାନ କରି ବାଳିକା ଶିକ୍ଷା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଆଜିର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିବା ବେଳେ ଭେଦଭାବ ଶୂନ୍ୟ ପରିବେଶ ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢନ୍ତୁ