
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ ଏବଂ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଜିଲ୍ଲାପରିଷଦ ନୟାଗଡ଼ଙ୍କ ଡିପିଆର୍ସି ସମ୍ମିଳନୀ କକ୍ଷରେ ଶତାଧିକ ଶ୍ରମିକମାନଙ୍କୁ ନେଇ ଆର୍ନ୍ତଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ସଚିବ ଅଞ୍ଜଳୀ ମଛଖଣ୍ଡ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ କହିଥିଲେ- ଯଦି କେହି କାର୍ଯ୍ୟକ୍ଷେତ୍ରରେ ଶ୍ରମିକଙ୍କୁ ନିର୍ଯାତିତ ନିଷ୍ପେଡ଼ିତ କରନ୍ତି ତଥା ବେଆଇନ୍ ଭାବେ ଅନୁଚିତ୍ କାର୍ଯ୍ୟରେ ନିୟୋଜିତ କରନ୍ତି ଅଥବା ଆଇନ୍ ଅନୁସାରେ ଉପଲବ୍ଧ ସମସ୍ତ ସୁବିଧା, ସୁଯୋଗ, ନିରପତ୍ତା,ସୁରକ୍ଷା ଆଦି ପ୍ରତି ଯଦି କେହି ଧ୍ୟାନ ନଦିଅନ୍ତି ତେବେ ଆଇନ୍ ଅନୁସାରେ ଦଣ୍ଡିତ ହେବେ । ଆମ ସରକାର ଶ୍ରମିକମାନଙ୍କ ପାଇଁ ଅନେକ ଆଇନ୍ ପ୍ରଣୟନ କରିଛନ୍ତି । ଆମେ ସମସ୍ତେ ଧ୍ୟାନ ରଖିବା ଶ୍ରମିକ ଅଧିକାର ଯେପରି କ୍ଷୁର୍ଣ୍ଣ ନହୁଏ । କାର୍ଯ୍ୟ ଆଗରେ ନିଜ ପରିବାରର ସ୍ଵାର୍ଥକୁ ଜଳାଞ୍ଜଳି ଦେଇ ଯିଏ କାମକରିଥାଏ ସେ ହେଉଛନ୍ତି ଶ୍ରମିକ । ଶ୍ରମିକ କାର୍ଯ୍ୟ କଲାବେଳେ ତାଙ୍କର ନିରାପତ୍ତା ପାଇଁ ଧ୍ୟାନ ରଖିବା ଦରକାର ବୋଲି କହିଥିଲେ । ଅନ୍ୟତମ ଅତିଥି ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ, ଓକିଲ ସଂଘର ସଭାପତି ରଣଜିତ କୁମାର ଦାଶ, ପିଆଇଏଲ୍ ସତ୍ୟରଞ୍ଜନ ଦାସ, ବରିଷ୍ଠ ଆଇନ୍ଜୀବୀ ରମେଶ ଚନ୍ଦ୍ର ମହାରଣା, କାମାକ୍ଷା ପ୍ରସାଦ ଦାସ, ପ୍ରାଧିକରଣ ସଦସ୍ୟା କ୍ଷଣପ୍ରଭା କର, ସମାଜସେବୀ ଅମନ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜନିଜର ବକ୍ତବ୍ୟ ରଖିଥିଲେ । ଆଇନ୍ସେବା ପ୍ରାଧିକରଣ ତରଫରୁ ଏକ ସଚେତନତାଧର୍ମୀ ଛୋଟ ନାଟିକା ଶ୍ରମିକମାନଙ୍କ ଅଧିକାର ଉପରେ ପର୍ଯ୍ୟବେସିତ ଅଧିକାର ମିତ୍ରଙ୍କ ଦ୍ଵାରା ପରିବେଷଣ ହୋଇ ପ୍ରଶଂସା ସାଉଁଟିଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲା ଆଇନସେବା ପ୍ରାଧିକରଣର ଅଧିକାର ମିତ୍ର ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ ।