
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ଲେଖକ ପରିଷଦର ଆଗାମୀ ବାର୍ଷିକ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସିନ୍ଦୁରିଆ ବକ୍ସି ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଶେଖ ଅବଦୁଲ ଖାଲିକ ଗତବର୍ଷ ଅନୁଷ୍ଠିତ ବାର୍ଷିକ ଉତ୍ସବର ସବିଶେଷ ତଥ୍ୟ ଉପସ୍ଥାପନା କରିବା ସହିତ ଚଳିତ ବର୍ଷର ବ୍ୟୟ ଅଟକଳ ଏବଂ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରିଥିଲେ। ଚଳିତ ବର୍ଷ ବାର୍ଷିକ ଉତ୍ସବ ଡିସେମ୍ବର ୧୩ ଏବଂ ୧୪ ଦୁଇଦିନ ଧରି ଅନୁଷ୍ଠିତ ହେବ। ପ୍ରଥମ ଦିବସରେ ଲେଖକ ପରିଷଦ ସଦସ୍ୟ ମାନଙ୍କ ଦ୍ୱାରା ଏକ ନାଟକ ପରିବେଷଣ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ତେଣୁ ଏଥି ନିମନ୍ତେ ଏକ ନାଟକ ଓ କଳାକାର ଚୟନ କମିଟି ଗଠନ କରାଯାଇଥିବା ବେଳେ ପ୍ରଧାନୀ ବୃନ୍ଦାବନ ମହାପାତ୍ର,ଡ. ଆଶୁତୋଷ ମିଶ୍ର,ନିରଂଜନ ନାୟକ,ଗୋଦାବରୀ ବସନ୍ତିଆ,ଦେବେନ୍ଦ୍ର ପ୍ରସାଦ ପରମଗୁରୁ ପ୍ରମୁଖ ଏହାର ସଦସ୍ୟ ରହିଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ସ୍ମରଣିକା ପ୍ରକାଶ ପାଇବ। ଏହି ସ୍ମରଣିକା ପ୍ରସ୍ତୁତି ପାଇଁ ଏକ ସମ୍ପାଦନା ମଣ୍ଡଳୀ ଗଠନ କରାଯାଇଛି। ଏଥିରେ ପ୍ରଧାନୀ ବୃନ୍ଦାବନ ମହାପାତ୍ର, ଗୋଦାବରୀଶ ମିଶ୍ର,ଡ.ସୁକାନ୍ତି ମହାନ୍ତି, ନୀଳିମା ନନ୍ଦ,ନିରାକାର ସ୍ବାଇଁ,ଲଳିତ ମୋହନ ମିଶ୍ର,ଶେଖ୍ ଅବଦୁଲ୍ ଖାଲିକ୍ ସଦସ୍ୟ ଭାବରେ ରହିଛନ୍ତି।

ସେହିପରି ଜିଲ୍ଲା ମଧ୍ୟରେ ଥିବା ସାହିତ୍ୟର ବିଭିନ୍ନ ବିଭାଗର ପ୍ରତିଭୂ ମାନଙ୍କୁ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରିବା ପାଇଁ ସର୍ବସମ୍ମତି ନିଷ୍ପତ୍ତି ନିଆଯିବା ସହିତ ଏଥି ନିମନ୍ତେ ଏକ ଚୟନ କମିଟି ଗଠନ କରାଯାଇଥିବା ବେଳେ ଏଥିରେ ବସିରନ୍ ବିବି (ଅଧ୍ୟକ୍ଷ),ଡ. ନିର୍ମଳ ଚନ୍ଦ୍ର ଶୂରଦେଓ,ପ୍ରଶାନ୍ତ କୁମାର ଦାଶ,ସୌଦାମିନୀ ସ୍ୱାଇଁ,ସିତୁ ପ୍ରକାଶ ରଥ,ଲକ୍ଷ୍ମୀଧର ସାହୁ ପ୍ରମୁଖ ସଦସ୍ୟ ରହିଛନ୍ତି। ଲେଖକ ପରିଷଦର ବ୍ଲକ ପ୍ରତିନିଧିମାନେ ସେମାନଙ୍କ ବ୍ଲକର ପ୍ରତିଭୂ ମାନଙ୍କ ନାମ ସମ୍ମାନିତ କରାଯିବା ପାଇଁ ପ୍ରସ୍ତାବ ଦେବେ l ପ୍ରତିଭା ଚୟନ କମିଟି ତାକୁ ଚୂଡ଼ାନ୍ତ କରିବ। ବାର୍ଷିକ ଉତ୍ସବକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ପରିଷଦର ବରିଷ୍ଠ ସଦସ୍ୟ ମାନଙ୍କୁ ନେଇ ଏକ ବାର୍ଷିକ ଉତ୍ସବ ମାର୍ଗଦର୍ଶକ ମଣ୍ଡଳୀ ଗଠନ କରାଯାଇଥିଲା। ଏଥିରେ ସାହିତ୍ୟିକ ବିରଞ୍ଚି ନାରାୟଣ ତ୍ରୀପାଠୀ (ରଣପୁର), ଦିବାକର ନାୟକ (ଓଡ଼ଗାଁ),ଡ. ନାରାୟଣ ମହାପାତ୍ର (ଦଶପଲ୍ଲା),ପ୍ରଫୁଲ୍ଲ କୁମାର ମହାନ୍ତି (ଭାପୁର),ବିଶ୍ଵନାଥ ମହାପାତ୍ର (ନୟାଗଡ଼), କାଶୀନାଥ ଦାସ (ଖଣ୍ଡପଡ଼l),କୃଷ୍ଣ ଚନ୍ଦ୍ର ସାହୁ (ନୂଆଗାଁ),ସ୍ୱର୍ଣ୍ଣଲତା ଦାଶ (ଗଣିଆ) ପ୍ରମୁଖ ସଦସ୍ୟ ଭାବରେ ରହିଛନ୍ତି। ପ୍ରସ୍ତୁତି ବୈଠକ ଶେଷରେ ଲେଖକ ପରିଷଦ କୋଷାଧ୍ୟକ୍ଷ ଗୋପୀନାଥ ପରିଡ଼ା ଧନ୍ୟବାଦ ପ୍ରଦାନ କରିଥିଲେ। By:-Laxmidhar Sahoo