ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ବୁଧବାର ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଭା ପ୍ର ସେ ଏହି ଦିବସରେ ଶୁଭେଛା ଜ୍ଞାପନ କରିଛନ୍ତି । ଜିଲ୍ଲାରେ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମୁଖ୍ଯ ସ୍ରୋତରେ ସାମିଲ କରିବାନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାସହ ଆବଶ୍ୟକ ସମସ୍ତ ସରକାରୀ ସୁବିଧାସୁଯୋଗ ଗୁଡିକୁ ଆପଣେଇବା ନିମନ୍ତେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଅନୁରୋଧ କରିଛନ୍ତି ।
ସକାଳ ସାଢେ ଆଠଟା ସମୟରେ ଏକ ସଚେତନତା ପଦଯାତ୍ରା ପୌର ପାଳିକା ସମ୍ମୁଖରୁ ବାହାରି ମହାତ୍ମାଗାନ୍ଧୀ ପାର୍କ ଦେଇ ବିଜୁପଟ୍ଟନାୟକ ପ୍ରେକ୍ଷାଳୟରେ ପହଞ୍ଚିଥିଲା । ଅତିରିକ୍ତ ଜିଲ୍ଳାପାଳ ନବିନ ଚନ୍ଦ୍ର ନାଏକ ଏହାର ଶୁଭାରମ୍ଭ କରିଥିଲେ । ବିଭିନ୍ନ ପ୍ଲାକାର୍ଡ ଓ ସ୍ଲୋଗାନରେ ସହର ମୁଖରିତ ହୋଇଥିଲା ।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଳାପାଳ ନବିନ ଚନ୍ଦ୍ର ନାଏକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ରାୟଗଡ଼ ପୌରପାଳିକା ଅଧ୍ୟକ୍ଷ ପି ମହେଶ ପଟ୍ଟନାୟକ, ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା, ରାୟଗଡ଼ ବ୍ଳକ ଉପାଧ୍ୟକ୍ଷ ହର ପ୍ରସାଦ ହେପୃକା, ରାୟଗଡ ବିଡିଓ ସୁଜିତ କୁମାର ମିଶ୍ର, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ରୁମା ମହାପାତ୍ର, ରାୟଗଡ ଭିନ୍ନକ୍ଷମ ମହାସଙ୍ଘ ସଭାପତି ଶିଶିର ରାଉଳ, ସଂପାଦକ ଅମରେନ୍ଦ୍ର ନାଥ, ଓଡିଶା ବିକଳାଙ୍ଗ ମଞ୍ଚ ସଭାପତି ରାକେଶ ହିମିରିକା ପ୍ରମୁଖ ମଞ୍ଚାସୀନ ଥିଲେ ।
ହେଲେନ କେଲେର, ଲିଖ୍ ବୃଜିକ୍, ଜେସିକା କ୍ରବ୍, ଅରୁଣିମା ସିହ୍ନା, ଦୀପା ମଲିକ ଆଦି ଭିନ୍ନକ୍ଷମ ହୋଇ ମଧ୍ଯ ବିଶ୍ବପାଇଁ ଜଣେ ଜଣେ ସଫଳ ତଥା ସକ୍ଷମ ବ୍ୟକ୍ତିତ୍ବର ଉଦାହରଣ ହେଇପାରିଛନ୍ତି । ଯୁଆର ସମ୍ମୁଖିନ ପରେ ହିଁ ସମୁଦ୍ରର ଗଭୀରତାର ଦୃଶ୍ୟମାନ ହୁଏ, ରାତ୍ରିର ଅନ୍ଧକାର ଅତିକ୍ରମ ପରେ ଆଲୋକର ସନ୍ଧାନ ମିଳେ । ନିଜକୁ ସଶକ୍ତ କରି ଏକାଗ୍ରତା ଓ ପ୍ରଚେଷ୍ଟାରେ ଆଗକୁ ବଢିବାକୁ ଅତିଥିବୃନ୍ଦ ନିଜ ବକ୍ତବ୍ଯରେ ଉପସ୍ଥାପନ କରିଥିଲେ ।
ଏହି ଅବସରରେ ଆୟୋଜିତ ବକ୍ରୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପାଞ୍ଚ ଜଣ ହିତାଧିକାରୀଙ୍କୁ ବ୍ରେଲି ଲିପିର ଏନି ଯନ୍ତ୍ର, ସାତ ଜଣ ହିତାଧିକାରୀଙ୍କୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ଲେଖାଏଁ ବିବାହ ପ୍ରୋତ୍ସାହନ ରାଶି ଏବଂ ଏକଶହ କୋଡ଼ିଏ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ବଣ୍ଟନ କରାଯାଇଥିଲା । ପାଞ୍ଚ ଜଣ ତୃତୀୟଲିଙ୍ଗ, ତିରିଶି ଜଣ ଭିନ୍ନକ୍ଷମ ତଥା ଜ୍ଞାନବର୍ଧିନୀ ସ୍ବତନ୍ତ୍ର ବିଦ୍ୟାଳୟର ଏଗାର ଜଣଙ୍କୁ ସଙ୍ଗୀତ, ନୃତ୍ଯ ଓ ସମାଜସେବା କ୍ଷେତ୍ରରେ ମଞ୍ଚ ରେ ସମ୍ମାନିତ କରାଯାଇଥିଲା ।
