ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗୁପ୍ତଚର ଅଭିଯୋଗରେ ଗିରଫ କରାଯାଇଥିଲା । ହରିୟାଣା ପୁଲିସ ମେ ୧୬ ତାରିଖରେ ଜ୍ୟୋତିଙ୍କୁ ହଠାତ୍ ଗିରଫ କରିଥିଲା । ପ୍ରାୟ ୩ ମାସ ପରେ ପୁଲିସ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି । ସୂତ୍ର ଅନୁଯାୟୀ, ଜ୍ୟୋତିଙ୍କ ପାକିସ୍ତାନ ଲିଙ୍କ୍ର ପର୍ଦ୍ଦାଫାଶ ହୋଇଛି। ହରିୟାଣା ପୋଲିସ ସୂତ୍ର ଅନୁଯାୟୀ, ସ୍ବତନ୍ତ୍ର ତଦନ୍ତ ଦଳ (SIT) ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜଶିଟ୍ରେ ପୋଲିସ ଦାବି କରିଛି ଯେ, ଜ୍ୟୋତିଙ୍କୁ ପାକିସ୍ତାନ ପାଇଁ ଏକ ଟୁଲକିଟ୍ ଭାବରେ ବ୍ୟବହାର କରାଯାଉଥିଲା।
ପୋଲିସ କହିଛି, ଜ୍ୟୋତି ପାକିସ୍ତାନୀ ଏଜେଣ୍ଟମାନଙ୍କ ସହିତ ସୂଚନା ଶେୟାର କରୁଥିଲେ ଏବଂ ସେମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲେ। ଜ୍ୟୋତି ତାଙ୍କ ପାକିସ୍ତାନ ଗସ୍ତ ସମୟରେ ସେଠାକାର ଏଜେଣ୍ଟମାନଙ୍କ ସହିତ ଯୋଗାଯୋଗ କରିଥିଲେ। ପୋଲିସ ଜ୍ୟୋତିଙ୍କ ମୋବାଇଲରୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛି। ଅନୁସନ୍ଧାନ ସମୟରେ ଏହା ମଧ୍ୟ ଜଣାପଡ଼ିଛି ଯେ ଏହି ସୂଚନା ବଦଳରେ ଜ୍ୟୋତିଙ୍କୁ ଆର୍ଥିକ ଲାଭ ମିଳିଥିଲା । ସେହି ୧୨ ଜଣ ଲୋକଙ୍କ ମଧ୍ୟରେ ସେ ଅନ୍ତର୍ଭୁକ୍ତ ଥିଲେ ଯେଉଁମାନଙ୍କୁ ଗୁପ୍ତଚର ସନ୍ଦେହରେ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରୁ ଗିରଫ କରାଯାଇଥିଲା ।ଜ୍ୟୋତି ପାକିସ୍ତାନ ହାଇ କମିସନରେ ନିୟୋଜିତ ଥିବା ଦାନିଶ ଅଲ୍ଲିଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ । ପୁଲିସ ଜ୍ୟୋତି ଏବଂ ଦାନିଶଙ୍କ ମଧ୍ୟରେ ହୋଇଥିବା ଚାଟ୍ ମଧ୍ୟ ପାଇଛି । ଜ୍ୟୋତିଙ୍କର ଆଇଏସଆଇ ଏଜେଣ୍ଟ ଶାକିର, ହସନ ଅଲ୍ଲିଙ୍କ ବ୍ୟତୀତ ନାସିର ଢିଲ୍ଲନଙ୍କ ସହିତ ମଧ୍ୟ କଥାବାର୍ତ୍ତା ହେଉଥିଲା । ପହଲଗାମ ଆକ୍ରମଣ ସମୟରେ ଜ୍ୟୋତିଙ୍କ ଭୂମିକା ବିଷୟରେ ତଦନ୍ତ ଜାରି ରହିଛି ।
ହିସାରର ବାସିନ୍ଦା ୩୩ ବର୍ଷୀୟ ଜ୍ୟୋତି ‘ଟ୍ରାଭେଲ ୱିଥ୍ ଜେଓ’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଳାଉଥିଲେ । ତାଙ୍କ ଉପରେ ଅଭିଯୋଗ ଥିଲା ଯେ ସେ ପାକିସ୍ତାନକୁ ଏପରି କିଛି ସୂଚନା ଦେଇଛନ୍ତି ଯାହା ଦେଶ ପାଇଁ ବିପଦ ସୃଷ୍ଟି କରିପାରେ । ଏହି କାରଣରୁ ତାଙ୍କୁ ଗିରଫ କରାଯାଇଥିଲା ।