୨ ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ମଲା ପରେ ବି ବାପାଙ୍କୁ ମିଳିଲାନି ଚାରିକାନ୍ଧ। ସାହି ଭାଇ ତ ଦୂରର କଥା, ନିଜ ବଡ଼ ପୁଅ ବି କାନ୍ଧ ଦେଲାନି ବାପାଙ୍କୁ। ଅଭିଯୋଗ ଆସିଛି, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ କଂଗ୍ରା ଗାଁରୁ। ଶେଷରେ ମୃତକଙ୍କ ଭଉଣୀ ଓ ପୁଅ-ଝିଅ କାନ୍ଧରେ ନେଇ କଲେ ଅନ୍ତିମ ସତ୍କାର । ସୂଚନାନୁଯାୟୀ, ଗାଁର ଦୁର୍ଯ୍ୟୋଧନ ମାଝୀଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ । କିନ୍ତୁ ଦୁଇ ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ କାନ୍ଧ ଦେବାକୁ ଆସିଲେନି ଗାଁ ଲୋକ । ଫଳରେ ଅନ୍ୟ କିଛି ଉପାୟ ନପାଇ ଦୁର୍ଯ୍ୟୋଧନଙ୍କ ପୁଅ-ଝିଅ ଓ ଭଉଣୀ-ଭାଣିଜୀ ମିଶି ମୃତଦେହକୁ କାନ୍ଧେଇ ଶ୍ମଶାନକୁ ନେଇଥିଲେ । କିଛି ପାଖ ପଡୋଶୀ ଯାଇଥିଲେ ମଧ୍ୟ କେହିଁ ଛୁଇଁ ନଥିଲେ। ଯାହାକୁ ନେଇ ସାନ ପୁଅ ଜାତିପ୍ରଥା ନୀତି ନିୟମ ଉପରେ ଆଙ୍ଗୁଳି ଦେଖାଇବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ଦୁନିଆ କେତେ ଆଗକୁ ଯାଇଥିଲେ ମଧ୍ୟ ଆଜି ବି ଲୋକେ ଜାତିପ୍ରଥା ଜାଲରେ ପଡିରହିଛନ୍ତି । ଅନ୍ୟ ଲୋକର କଥାରେ ପଡି ଜାତିପ୍ରଥା ନିୟମକୁ ଚାଲୁ ରଖିଥିବା ମୃତକଙ୍କ ସାନପୁଅ ଅଭିଯୋଗ ଆଣିଛନ୍ତି । ଏବେ ଜାତିରେ ମିଶିଲେ ହିଁ ମୃତକଙ୍କ ଆଗକୁ ଥିବା କାର୍ଯ୍ୟ କରିପାରିବେ ବୋଲି ସମାଜ ଲୋକେ କହୁଥିବା ଅଭିଯୋଗ ଆଣିଛନ୍ତି ।
