ପୂଜା ପୂର୍ବରୁ ଡିଜେ ଗାଡ଼ି ଉପରେ ଲାଗିଲା ଅଙ୍କୁଶ । ସର୍କୁଲାର ଜାରି କଲା ରାଜ୍ୟ ପରିବହନ ବିଭାଗ । ଗାଡ଼ି ରେଜିଷ୍ଟ୍ରେସନ ସମୟର ଦେଖାଯିବ ଗାଡ଼ିର ଦୈର୍ଘ୍ୟ, ପ୍ରସ୍ତ, ଉଚ୍ଚତା । କୌଣସି ଗାଡ଼ିକୁ ମୋଡିଫାଏ କରିପାରିବେନି ଡିଜେ ମାଲିକ । ଗାଡିର ମୂଳ ଢାଞ୍ଚାରେ ପରିବର୍ତ୍ତନ ଓ ନିୟମ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ । ନିର୍ଦ୍ଧାରିତ ସୀମା ପାର ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା ଉପରେ କଟକଣା । ଆଇନ ଅନୁଯାୟୀ ଜରିମାନା ସହ ପଞ୍ଜୀକରଣ ଓ ଫିଟନେସ୍ ରଦ୍ଦ ହେବ । ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ବି ଚେତାବନୀ ଦେଇଛନ୍ତି । ଏନେଇ ସମସ୍ତ ଆରଟିଓଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲା ଏସଟିଏ ।ଅନୁମୋଦିତ ବହୁବର୍ଣ୍ଣ LED, ଲେଜର ଲାଇଟ୍, ନିଅନ ଓ ଓଜେ ଆଲୋକ ବ୍ୟବହାର ଉପରେ ବି କଟକଣା ଲଗାଯାଇଛି । ଓଜେ ସିଷ୍ଟମ ଉପରେ ମଧ୍ୟ ସମ୍ପୂର୍ଣ୍ଣ ବାରଣ ରହିଛି ।ମୋଟରଯାନ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି ବେଆଇନ ଭାବେ ତାକୁ ଡିଜେ ଯାନ ଭାବେ (ମୋଟର ଯାନ ଆଇନରେ ଡିଜେ ଭ୍ୟାନର କୌଣସି ପ୍ରଚଳିତ ବ୍ୟବସ୍ଥା ନାହିଁ) ପରିବର୍ତ୍ତନ କରି ବେଆଇନ ଭାବେ ବ୍ୟବହାର କରାଯାଉଛି । ଏହାଦ୍ୱାରା ଶବ୍ଦ ପ୍ରଦୂଷଣ ଓ ଚିକମିକ୍ ଆଲୋକ ଦ୍ୱାରା ରାସ୍ତାରେ ଯାତାୟତ କରୁଥିବା ଅନ୍ୟ ଯାନଗୁଡିକ ଅସୁବିଧାର ସମ୍ମୁଖୀନ ହେବା ସହ ବେଆଇନ ଉଚ୍ଚତା ଯୋଗୁଁ ସର୍ଟସର୍କିଟ୍ ଓ ଭାରସମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଭଳି ଅଘଟଣର ତଥ୍ୟ ବିଭାଗ ଦୃଷ୍ଟିକୁ ଆସିଛି । ଏହି ତଥାକଥିତ ଡିଜେ ଭ୍ୟାନର ବ୍ୟବହାର ବହୁଳ ଭାବରେ ହେଉଛି । ତେଣୁ ଆଇନରେ ଥିବା ବିଧିବ୍ୟବସ୍ଥା ଅନୁଯାୟୀ କଡ଼ାକଡ଼ି ଯାଞ୍ଚ ଏବଂ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
